ହାଇକମାଣ୍ଡଙ୍କ ଲଗାମ ଛିଣ୍ଡାଇବାର ଶକ୍ତି ଥରୁରଙ୍କ ଦାନ୍ତରେ ନାହିଁ

ଭୋଟରମାନେ ଯାହା ନିଷ୍ପତି ନେବେ ଶଶି ତାହାକୁ ସମ୍ମାନ ଦେବାକୁ ରାଜି ଅଛନ୍ତି…..

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ, ହାଇକମାଣ୍ଡ ସଂସ୍କୃତି ହଟାଇବେ ବୋଲି ଶଶି ଥରୁରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି ଏନ୍‌ୟୁବିସି । ଶୁକ୍ରବାର ମନୋନୟନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମକୁ ଶଶି ଥରୁର କହିଥିଲେ ଯେ ସେ କଂଗ୍ରେସକୁ ଆଗେଇ ନେବାକୁ ଚାହାନ୍ତି । ଦଳର ମୁଖ୍ୟ ସମସ୍ୟା ହେଉଛି ସବୁ ମାମଲାକୁ ଦିଲ୍ଲୀ କ୍ଷମତା କେନ୍ଦ୍ର ନିଷ୍ପତି ଉପରେ ଛାଡ଼ିଦେବା । ଦଳଗତ ନିଷ୍ପତିକୁ ଅଧ୍ୟକ୍ଷଙ୍କ ନିଷ୍ପତି କହି ଗଡ଼ାଇବା ସଂସ୍କୃତି ବଦଳିବା ଦରକାର ।

ଥରୁରଙ୍କ ପରେ ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖାଡ୍‌ଗେ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି । ଖାଡ୍‌ଗେଙ୍କ ନାମାଙ୍କନ ପତ୍ର ଦାଖଲ ଉପରେ ଶଶି କହିଛନ୍ତି ଯେ ଖାଡ୍‌ଗେ ଦଳର ଭୀଷ୍ମ ପିତାମହ । ତାଙ୍କ ପ୍ରତି ଥରୁରଙ୍କ ମନରେ ମନ୍ଦ ଭାବନା ନାହିଁ । ଭୋଟରମାନେ ଯାହା ନିଷ୍ପତି ନେବେ ଶଶି ତାହାକୁ ସମ୍ମାନ ଦେବାକୁ ରାଜି ଅଛନ୍ତି ।

ଚର୍ଚ୍ଚାର ବିଷୟ ହେଉଛି, କଂଗ୍ରେସର ୨୩ ଜଣ ଜଣାଶୁଣା ଅସନ୍ତୁଷ୍ଟଙ୍କ ଭିତରେ ଶଶି ଥରୁର ଜଣେ । ତାଙ୍କୁ ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦ ମିଳିବା ଉପରେ ଅନେକଙ୍କ ମନରେ ସନ୍ଦେହ ଉପୁଜିଛି । ଥରୁରଙ୍କ ପ୍ରତିଦ୍ୱନ୍ଦ୍ୱୀ ଖାଡ୍‌ଗେଙ୍କୁ ସମର୍ଥନ କରିଛନ୍ତି ଭୁପିନ୍ଦର ସିଂହ ହୁଡା ଓ ଦିଗବିଜୟ ସିଂହଙ୍କ ଭଳି ବହୁ ବରିଷ୍ଠ କଂଗ୍ରେସ ନେତା ।

ଖାଡ୍‌ଗେ ଓ ଶଶି ଥରୁରଙ୍କ ଲଢେ଼ଇ ଉପରେ ଏନ୍‌ୟୁବିସି କୌଣସି ମନ୍ତବ୍ୟ ଦେଇନି । କାରଣ ଏନ୍‌ୟୁବିସି ଭଲ ଭାବରେ ଜାଣିଛି କଂଗ୍ରେସର ଅଧ୍ୟକ୍ଷ ଯିଏ ହୁଅନ୍ତୁ ରିମୁଟ ସୋନିଆ ଗାନ୍ଧୀଙ୍କ ହାତରେ ରହିବ । ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିମାନେ ବେଶିଦିନ ଅଧ୍ୟକ୍ଷ ପଦରେ ତିଷ୍ଠି ପାରିବେନି ।