ସମୁଦ୍ରରୁ ଡଙ୍ଗା ଉଡ଼ିଗଲା, ଲୋକଙ୍କ ଦୁଆରେ ପଡ଼ିଲା

ଛୋଟ ବିମାନ ଗଡ଼ିଗଲା ଖାଲଖମାକୁ

ଆମେରିକାରେ ଭୟଙ୍କର ଘୂର୍ଣ୍ଣିବାତ୍ୟା……

ୱାଶିଂଟନ: ଭୟଙ୍କର ସାମୁଦ୍ରିକ ଝଡ଼ ଦକ୍ଷିଣ-ପୂର୍ବ ଆମେରିକାକୁ ମନ୍ଥି ପକାଇଛି । ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଏବେ ସାଉଥ୍‌ କରୋଲିନା ଆଡ଼କୁ ମୁହାଁଇଛି । ସୁନ୍ଦରୀ ଫ୍ଲୋରିଡାର ଭୟଙ୍କର ଚେହେରା ଛାତିକୁ ଥରାଇ ଦେଉଛି । ସାମୁଦ୍ରିକ ଝଡ଼ର ପ୍ରକୋପ ଏତେ ଶକ୍ତିଶାଳୀ ଥିଲା ଯେ ସମୁଦ୍ର ଉପକୂଳରେ ନଙ୍ଗର ପକାଇଥିବା ଡଙ୍ଗାଗୁଡ଼ିକ ଉଡ଼ିଯାଇ ଲୋକଙ୍କ ଘର ଦୁଆର ମୁହଁରେ ପଡ଼ିଛି ।

ଲୋକଙ୍କ ଘର ଓ ଡଙ୍ଗା ରହଣି ସ୍ଥଳ ଭିତରେ କିଛି ତଫାତ୍‌ ଦିଶୁନାହିଁ । ସମୁଦ୍ର ଜୁଆର ଲୋକଙ୍କ ଘର ଭିତରେ ପଶିବା ଫଳରେ ବହୁ ଧନସମ୍ପତି ନଷ୍ଟ ହୋଇଛି । ବିମାନଘାଟିରେ ଦଣ୍ଡାୟମାନ ଛୋଟ ବିମାନଗୁଡ଼ିକ ରହଣି ସ୍ଥାନରୁ ଯାଇ ନିକଟତମ ଖାଲଖମାରେ ପଡ଼ିଯାଇଛି । ବିଦ୍ୟୁତ୍‌ ଖୁଂଟ ଉପୁଡ଼ି ଯାଇଛି । ମୋବାଇଲ୍‌ ଟାୱାର ଟଳିପଡ଼ିଛି । ରାସ୍ତାଘାଟ ଖଣ୍ଡିଆ ହୋଇଛି ।

ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ବେତାର ସଂଯୋଗ ଏକପ୍ରକାର ନାହିଁ କହିଲେ ଚଳେ । ଉଦ୍ଧାରକାରୀ ଟିମ୍‌ ଫ୍ଲୋରିଡାରେ ପହଂଚି ବିପନ୍ନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି । ହୁରିକାନ୍‌ ଇଆନ୍‌ ଏଭଳି କ୍ଷତି ଘଟାଇବ ବୋଲି ପ୍ରଶାସନ ସ୍ୱପ୍ନରେ କଳ୍ପନା କରି ନଥିଲା ।

ଘୂର୍ଣ୍ଣିବାତ୍ୟାର ଗତି ଘଂଟା ପ୍ରତି ୧୨୦ କିଲୋମିଟର ବେଗ ରହିଛି । ଏବେ ତାହା ସାଉଥ୍‌ କରୋଲିନା ଉପର ଦେଇ ଆଟ୍‌ଲାଂଟିକ୍‌ ମହାସାଗର ଆଡ଼କୁ ଗତି କରୁଛି । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସାଉଥ୍‌ କରୋଲିନା ଜନତାଙ୍କୁ ସତର୍କ ରହିବାକୁ କୁହାଯାଇଛି । ବିଶେଷ କରି ଭୟଙ୍କର ତୋଫାନ୍‌ ପ୍ରଭାବରେ ବିଜୁଳି ଖୁଂଟଗୁଡ଼ିକ ମାଟିରେ ଶୋଇଯିବାର ଆଶଙ୍କା ରହିଛି । ବିଜୁଳି ଖୁଂଟ ଓ ମୋବାଇଲ୍‌ ଟାୱାର ଭାଙ୍ଗିଯିବା ଫଳରେ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇପାରେ ।