ରାଜ୍ୟସଭା ନିର୍ବାଚନ: ସବୁ ଦଳକୁ କ୍ରସ ଭୋଟିଂର ଭୟ

ରାଜ୍ୟସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୀତିକ ଦଳ ନିଜନିଜର ପ୍ରାର୍ଥୀଙ୍କ ବିଜୟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜସ୍ତାନ, ହରିଆନା,….

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୀତିକ ଦଳ ନିଜନିଜର ପ୍ରାର୍ଥୀଙ୍କ ବିଜୟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜସ୍ତାନ, ହରିଆନା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ନିର୍ବାଚନକୁ ଆଖି ଆଗରେ ବିଜେପି ଏଠାରେ ପ୍ରଭାରୀ ନିଯୁକ୍ତ କରିଛି । ସେହିପରି ଭାବରେ କଂଗ୍ରେସ ମଧ୍ୟ ହରିଆନା ଏବଂ ରାଜସ୍ତାନରେ ତାହାର ବିଧାୟକମାନଙ୍କୁ ହୋଟେଲକୁ ସିଫ୍ଟ କରିବାର ପ୍ରସ୍ତୁତିରେ ଅଛନ୍ତି । ରାଜସ୍ତାନରେ କଂଗ୍ରେସ ଏବଂ ସମର୍ଥକ ବିଧାୟକମାନଙ୍କୁ ଏକଜୁଟ ରଖିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ହରିଆନାରେ ବିଧାୟକମାନଙ୍କୁ ମଧ୍ୟ ରାଜସ୍ତାନକୁ ସିଫ୍ଟ କରିବାର ପ୍ରସ୍ତୁତି କରାଯାଉଛି । ରାଜସ୍ତାନରେ ବାହାର ଲୋକମାନଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ଦିଆଯାଇଥିବାରୁ ଏଠାରେ ଅସନ୍ତୋଷ ଏବଂ ଭୋଟ କଟ ହେବାର ଆଶଙ୍କା ରହିଛି । କଂଗ୍ରେସ ତିନୋଟି ପ୍ରାର୍ଥୀ ଦେଇଥିଲାବେଳେ ଏସଏଲ ଗ୍ରୁପର ଚେୟାରମ୍ୟାନ ସୁଭାସଚନ୍ଦ୍ରା ବିଜେପି ସମର୍ଥନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । କଂଗ୍ରେସ ପାଖରେ ୧୦୮ ଜଣ ବିଧାୟକ ଅଛନ୍ତି । ଜଣେ ଆରଏଲ ଡିଲର ବିଧାୟକ ଅଛନ୍ତି ।

୧୩ ନିର୍ଦ୍ଦଳୀୟ, ୨ ସିପିଏମ ଏବଂ ୨ ବିଟିପି ବିଧାୟକଙ୍କର ସମର୍ଥକଙ୍କୁ ମିଶାଇ କଂଗ୍ରେସ ୧୨୬ ବିଧାୟକଙ୍କର ସମର୍ଥନ ରହିଛି ବୋଲି ଦାବି କରୁଛି । କଂଗ୍ରେସର ଏହି ଦାବି ସହ ଏଥିରେ କିଛି ଭିତିରିଆ ମେଣ୍ଟର ଆଶଙ୍କା ସୃଷ୍ଟି ହୋଇଛି । ଅସନ୍ତୁଷ୍ଟ ବିଧାୟକ ତୃତୀୟ ଆସନରେ କଂଗ୍ରେସର ସମୀକରଣ ବିଗାଡ଼ି ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ୨୦୧୬ ନିର୍ବାଚନରେ କଂଗ୍ରେସ କ୍ରସ ଭୋଟିଂ କାରଣରୁ ହରିଆନାରେ ହାରିଛି । ସେହିପରି ଭାବରେ ମହାରାଷ୍ଟ୍ରରେ ଷଷ୍ଠ ଆସନ ଲାଗି ବିଜେପି ଓ ଶିବସେନା ମଧ୍ୟରେ କଡ଼ା ମୁକାବିଲା ଚାଲିଛି । କର୍ଣ୍ଣାଟକରେ ବିଦ୍‌ରୋହୀ ବିଧାୟକଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଭାରତୀୟ ଜନତା ପାର୍ଟି ତ୍ରିପୁରାରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଭାରୀଙ୍କ ନିଯୁକ୍ତି କରିଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ସହିତ ଦୁଇ ଅନ୍ୟଙ୍କୁ ମଧ୍ୟ ପ୍ରଭାରୀ କରାଯାଇଥିଲା ।

ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଦିନ ପ୍ରଭାରୀମାନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବିଜୟବର୍ଗୀୟଙ୍କ ସହିତ ଆସାମ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଅଶୋକ ସିଂଘଲ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ନିର୍ଦ୍ଦେଶକ ଜୟନ୍ତ ମଲ୍ଲାହ ବରୁଆହଙ୍କୁ ପ୍ରଭାରୀ କରାଯାଇଛି । ଉଲ୍ଲେଖନୀୟ ଯେ ତ୍ରିପୁରାର ଚାରି ବିଧାନସଭା ସିଟରେ ୨୩ ଜୁନକୁ ମତଦାନ ହେବ ।