ବରିଷ୍ଠ ଆଇପିଏସ ପ୍ରବୀଣ ସିହ୍ନା ହେଲେ ସିବିଆଇର କାର୍ଯ୍ୟକାରୀ ମୁଖ୍ୟ

ନୂଆଦିଲ୍ଲୀ: ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଏବେ କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ରିଷି କୁମାର ଶୁକ୍ଳା ବୁଧବାର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିବାରୁ ଶ୍ରୀ ସିହ୍ନାକୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ରିଷି ଶୁକ୍ଳାଙ୍କ ପରେ ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ପ୍ରବୀଣ ସିହ୍ନା।୧୯୮୮ ବ୍ୟାଚ୍‌ର ଗୁଜରାଟ ଆଇପିଏସ କ୍ୟାଡର ପ୍ରବୀଣ ସିହ୍ନା ସିବିଆଇରେ ଏସ୍‌ପି, ଡେପୁଟି ଆଇଜି, ଯୁଗ୍ମ ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଭାବେ ୨୦୦୦ରୁ ୨୦୨୧ ମଧ୍ୟରେ ଦୁଇଟି ଦଫାରେ କାମ କରିଛନ୍ତି। CAT and AIPMT ପେପର ଲିକ୍‌ର ପର୍ଦ୍ଦାଫାସ କରି ଶ୍ରୀ ସିହ୍ନା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇବା ଯାଏ ଏହି ପଦରେ କାମ କରିବାକୁ ସରକାର କହିଛନ୍ତି।