ଇଥିଓପିଆରେ ଉକ୍ରଟ ମରୁଡ଼ି: ପ୍ରାଣ ହରାଇଲେଣି ୩୮୦

ନୂଆଦିଲ୍ଲୀ: ଇଥିଓପିଆର ଉତରାଂଚଳରେ ମରୁଡ଼ିର କରାଳ ଚିତ୍ର ଦେଖିବାକୁ ମିଳିଛି । ଭୋକ ଉପାସରେ ଛଟପଟ ହୋଇ ପ୍ରାୟ ୩୮୦ ଜଣ ପ୍ରାଣ ହରାଇ ସାରିଲେଣି । ସୂଚନା ମୁତାବକ ଇଥିଓପିଆର ଟାଇଗ୍ରେ ଓ ଅମରାହ ଇଲାକାର ସ୍ଥିତି ଅତ୍ୟନ୍ତ ଦୟନୀୟ । ଗୃହଯୁଦ୍ଧ ସାଙ୍ଗକୁ ମରୁଡ଼ି ପରିସ୍ଥିତି ଇଥିଓପିଆର ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ଗରିବ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ସେଠାକାର ସରକାର ଆଖି ବୁଜି ଦେଇଛନ୍ତି । ସରକାରଙ୍କ ଜାଣତରେ ମରୁଡ଼ିଜନିତ ମୃତ୍ୟୁସଂଖ୍ୟା ୩୭୦; କିନ୍ତୁ ବାସ୍ତବ ସ୍ଥିତି ଆହୁରି ସାଂଘାତିକ ।

ବିଶ୍ୱ ଖାଦ୍ୟ ସଂଗଠନ ସୂତ୍ରରୁ ମିଳିଥିବା ଖବର ମୁତାବକ ଇଥିଓପିଆରେ ଅନାହାର କ୍ଲିଷ୍ଟ ଲୋକଙ୍କ ଭୋକିଲା ମୁହଁକୁ ଅନାଇ ହେଉନି । ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ଥଇଥାନ ଜରୁରୀ ।

ପ୍ରାୟ ୨ କୋଟିରୁ ଅଧିକ ଲୋକଙ୍କୁ ସହାୟତା କରିବାକୁ ପଡ଼ିବ । ପେଟର ଭୋକ ସାଙ୍ଗକୁ ଗୃହଯୁଦ୍ଧର ଘନଘଟା ଲୋକଙ୍କୁ କଲବଲ କରୁଛି । ପ୍ରାୟ ଦେଢ଼ବର୍ଷ ଧରି ସେଠାରେ ଗୃହଯୁଦ୍ଧ ଚାଲିଛି ।