ଜାପାନ ସୀମରେ ଚୀନ-ରୁଷର ଯୁଦ୍ଧ ବିମାନ

ବିମାନଗୁଡ଼ିକ ଜାପାନର ବାୟୁସୀମା ଅତିକ୍ରମ କରିନଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ….

ଟୋକିଓ : ଜାପାନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍‌ ମେଣ୍ଟର ବୈଠକ ଚାଲିଥିବାବେଳେ ଜାପାନ ବାୟୁସେନା ନିକଟରେ ଚୀନ ଓ ରୁଷର ଲଢୁଆ ବିମାନଗୁଡ଼ିକ ଉଡ଼ୁଥିବା ଜାପାନ ପକ୍ଷରୁ କୁହାଯାଇଛି । ତେବେ ଏହି ବିମାନଗୁଡ଼ିକ ଜାପାନର ବାୟୁସୀମା ଅତିକ୍ରମ କରିନଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିସି କହିଛନ୍ତି । ସେ କ୍ୱାଡ୍‌ ଦେଶର ରାଷ୍ଟ୍ରମୁଖ୍ୟମାନେ ଆଞ୍ଚଳିକ ସୁରକ୍ଷା ପାଇଁ ବୈଠକ କରୁଥିବା ବେଳେ ଚୀନ ଓ ରୁଷର ଦୁଇଟି ଲେଖାଏଁ ଲଢୁଆ ବିମାନ ଜାପାନ ସାଗର ଉପରେ ଉଡ଼ିବା ଏକ ଗଭୀର ଚିନ୍ତାର ବିଷୟ ।

ଏହି ବିମାନଗୁଡ଼ିକ ଜାପାନ ବାୟୁସୀମା ଅତିକ୍ରମ କରିବା ପୂର୍ବରୁ ଫେରିଯାଇଥିଲେ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ଏକ ରୁଷୀୟ ଗୁପ୍ତଚର ବିମାନ ମଧ୍ୟ ଜାପାନର ହୋକାଇଡୋ ଉପରେ ଉଡୁଥିବା ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରୁଷ-ଚୀନର ଲଢୁଆ ବିମାନ ଜାପାନ ନିକଟରେ ଉଡ଼ିବା ଏହା ପ୍ରଥମ ଘଟଣା ନୁହେଁ । ଅନ୍ୟପକ୍ଷରେ ଚୀନ ଏହି ମିଳିତ ଉଡ଼ାଣକୁ ସ୍ୱୀକାର କରିଛି । ରୁଷ ଓ ଚୀନ ମଧ୍ୟରେ ଥିବା ବାର୍ଷିକ ସାମରିକ ସହଯୋଗ ଯୋଜନା ଅନୁସାରେ ଏହି ମିଳିତ ଉଡ଼ାଣ କରାଯାଇଥିଲା ।