ଚାଷୀମାନେ ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦ ବେଶ ସଫଳତାର ସହ ଶେଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଷୀମାନେ ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦ ବେଶ ସଫଳତାର ସହ ଶେଷ ହୋଇଥିବା କୃଷକ ନେତାମାନେ ଦାବି କରିଛନ୍ତି। କିଛି ହାତ ଗଣତି ସ୍ଥାନକୁ ଛାଡ଼ି ଦେଲେ ଭାରତ ବନ୍ଦ ସବୁଆଡ଼େ ପାଳନ କରାଯାଇଛି। ବିଶେଷ କରି ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା ଓ ପଞ୍ଜାବରେ ବନ୍ଦର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ଚାଷୀଙ୍କ ସହ ବିଭିନ୍ନ ରାଜନୀତିକ ଦଳ, ଛାତ୍ର ଓ ଶ୍ରମିକ ସଂଗଠନ ଏକାଠି ହୋଇଛି ଭାରତ ବନ୍ଦକୁ ସଫଳ କରାଇଛନ୍ତି। ଦୋକାନ ବଜାର ଠାରୁ ଆରମ୍ଭ କରି ଟ୍ରେନ, ବସ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଆଜି ଠପ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧିକୁ ବିରୋଧ କରି ଆଜି ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଭାରତ ବନ୍ଦ ବେଶ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ଚାଷୀ ନେତା ରାକେଶ ଟିକାୟତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ କେବଳ ୩ଟି ରାଜ୍ୟରେ ସୀମିତ ବୋଲି କହୁଥିବା ଲୋକଙ୍କ ଗାଲରେ ଏପରି ବନ୍ଦ ଶକ୍ତ ଚାପୁଡ଼ା ବୋଲି ସେ କହିଛନ୍ତି।