ପଳାତକ ଅମୃତପାଲ ଉପରେ କାନାଡା ସରକାରଙ୍କ ନଜର

Amritpal

ପଞ୍ଜାବ ସରକାର ପଳାତକ ଅମୃତପାଲ ସିଂକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି..

କାନାଡା: କାନାଡା ସଂସଦରେ ଖଲିସ୍ତାନୀ ଅମୃତପାଲ ପ୍ରସଙ୍ଗ ଆଲୋଚନା ହୋଇଯାଇଛି । କାନାଡା ବିଦେଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ବୟାନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭାରତ ସରକାର ତା’ର ଜବାବ ଦେଇଛନ୍ତି । ଖଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ୍‌ ପଞ୍ଜାବ ଦେ’ ପ୍ରମୁଖ ଅମୃତପାଲ ସିଂ ଗିରଫଦାରି ଅଭିଯାନ ପ୍ରତି କାନାଡ଼ା ସରକାର ତୀକ୍ଷ୍ଣ ନଜର ରଖିଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ବ୍ୟାପାର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ ଗଣମାଧ୍ୟମକୁ କହିଛନ୍ତି, ମୁଁ କାନାଡ଼ା ସରକାରଙ୍କ ଟିପ୍ପଣୀକୁ ଅନୁଧ୍ୟାନ କରିଛି ।

ପଞ୍ଜାବ ସରକାର ପଳାତକ ଅମୃତପାଲ ସିଂକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି । ଉକ୍ତ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ପଞ୍ଜାବ ଅଧିକାରୀଙ୍କଠାରୁ ନିୟମିତ ରିପୋର୍ଟ ସଂଗ୍ରହ କରୁଛନ୍ତି । ବିଦେଶରେ ବସବାସ କରୁଥିବା ଲୋକମାନଙ୍କୁ ଆମେ ଅନୁରୋଧ କରୁଛୁ କି ସେମାନେ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ତିଳକୁ ତାଳ ଖବରକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।

ଗତ ଗୁରୁବାର କାନାଡ଼ା ବିଦେଶ ମନ୍ତ୍ରୀ ମେଲାନୀ ଜଲୀ ଭାରତୀୟ ବଂଶୋଦ୍ଭବ କାନାଡା ସାଂସଦ ଇକବିନ୍ଦର ସିଂ ଗହୀରଙ୍କ ପ୍ରଶ୍ନର ଜବାବରେ କହିଥିଲେ, ଆମେ ପଞ୍ଜାବ ସ୍ଥିତି ସଂପର୍କରେ ଅବଗତ ଅଛୁ । ସେଠାକାର ସ୍ଥିତିରେ ସୁଧାର ଆସିବ ବୋଲି ଆମର ପୂର୍ଣ୍ଣ ଭରସା ରହିଛି । ଆମେ ଶିଖ ସମୁଦାୟର ସବୁ ଲୋକଙ୍କ ମନରୁ ଚିନ୍ତା ଦୂର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବୁ । ବୁଧବାର କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ମଧ୍ୟ ସଂସଦରେ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି ନେତା ଜଗମୀନ ସିଂଙ୍କ ପ୍ରଶ୍ନର ଜବାବରେ କହିଥିଲେ ଯେ ପଞ୍ଜାବ ସ୍ଥିତି ଉପରେ କାନାଡ଼ା ସତର୍କ ନଜର ରଖିଛି । ସେଠାକାର ସ୍ଥିତିରେ ଜଲଦି ସୁଧାର ଆସିବ ବୋଲି ଆମର ବିଶ୍ୱାସ ରହିଛି ।

ଜଗମୀନ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ନାଗରିକଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି । ଇଂଟରନେଟ୍‌ ସେବା ବ୍ୟାହତ ହୋଇଛି । ସରକାର ନାଗରିକଙ୍କ ସାମ୍ବିଧାନିକ ଅଧିକାରରେ ହସ୍ତକ୍ଷେପ କରୁଛନ୍ତି ।