ଦଇବ ଦଉଡ଼ି ମଣିଷ ଗାଈ । ମଣିଷ କର୍ମ କରିଯାଏ ମାତ୍ର ଫଳ ଭଗବାନଙ୍କ ହାତରେ । ସବୁକିଛି ଠିକଠାକ୍ ଚାଲିଥିବା ଯାଏ ମଣିଷ ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କରେନା । ମାତ୍ର ବାଟ ଚାଲୁ ଚାଲୁ ଯୋଉଠି ଝୁଂଟିପଡେ଼, ସେଇଠି ମଣିଷ ଭଗବାନଙ୍କୁ ମନେ ପକାଏ ।
ଏମିତି ଜଣେ ବ୍ୟବସାୟୀଙ୍କ ବିଷୟ ଆମ ଦୃଷ୍ଟିକୁ ଚାଲିଆସେ । ଭାରତରେ ଜନ୍ମିତ ଏହି ବ୍ୟବସାୟୀଙ୍କ ନିକଟରେ ୧୨ ହଜାର କୋଟି ଟଙ୍କାର ଆଧିପତ୍ୟ ଥିଲା । କିନ୍ତୁ କାଳଗର୍ଭକୁ ସବୁ ଚାଲିଗଲା, କୋଟିପତି ବ୍ୟବସାୟୀ ଜଣକ ଏବେ କପର୍ଦ୍ଦକ ଶୂନ୍ୟ । ମୁଣ୍ଡ ଉପରେ ଛାତ ନାହିଁ ।
କ’ଣ ହେଲା ତାଙ୍କର? କୋଉଠୁ ଆରମ୍ଭ କରିଥିଲେ? କୋଉଠି କିପରି ଫକୀର ହୋଇଗଲେ ।
ନାଁ ତାଙ୍କର ବି ଆର୍ ସେଟ୍ଟୀ । ପୃଥିବୀର ଜଣାଶୁଣା ଧନୀଲୋକଙ୍କ ଭିତରୁ ସେ ଜଣେ ଥିଲେ । ତାଙ୍କର ବାର୍ଷିକ ବେପାର ପ୍ରାୟ ୧୨ ହଜାର କୋଟି ଟଙ୍କାରୁ ଅଧିକ ଥିଲା । ୨୦୧୯ ମସିହାରେ ଆର୍ଥିକ ଅନିୟମିତତା ମାମଲାରେ ଫସିଯିବା ପରେ ତାଙ୍କର ବ୍ୟବସାୟିକ ଆଧିପତ୍ୟ ମାଟିରେ ମିଶିଗଲା ।
ବ୍ରିଟିଶ ଶାସନାଧିନ ଭାରତର ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧିନରେ ଗଣା ଯାଉଥିବା ଆଧୁନିକ କର୍ଣ୍ଣାଟକର ଉଡୁପି ସହରରେ ୧୯୪୨ ମସିହା ଅଗଷ୍ଟ ପହିଲାରେ ଜନ୍ମ ଗ୍ରହଣ କରିଥିଲେ ଭାବଗୁଠୁ ରଘୁରାମ ସେଟ୍ଟୀ (ସଂକ୍ଷିପ୍ତ ନାମ ବି ଆର୍ ସେଟ୍ଟୀ) । ୧୯୭୩ ମସିହାରେ ମାତ୍ର ୮ ଡଲାର ସାଙ୍ଗରେ ଧରି ରଘୁରାମ ଦୁବାଇ ଚାଲିଗଲେ । ସେଠାରେ ଜଣେ ମେଡିକାଲ ରିପ୍ରେଜେଂଟେଟିଭ୍ ଭାବେ ଘରକୁ ଘର ବୁଲି ମେଡିସିନ୍ ବିକିବା ଆରମ୍ଭ କଲେ । ପରେ ନୁୃ୍ୟ ମେଡିକାଲ ସେଂଟର (ଏନ୍ଏମ୍ସି) ହେଲ୍ଥ ପ୍ରତିଷ୍ଠା କଲେ । ତାଙ୍କ କମ୍ପାନୀ ସାଉଦି ଆରବରେ ପ୍ରଥମ ଥର ପାଇଁ ଘରୋଇ ମେଡିକାଲ ସେବା ପ୍ରଦାନକାରୀ ସଂସ୍ଥା ଭାବେ ଗଣା ଯାଉଥିଲା ।
ରଘୁରାମଙ୍କ ପତ୍ନୀ ଚନ୍ଦ୍ରକୁମାରୀ ସେଟ୍ଟୀ ଯେ କି ପେଶାରେ ଜଣେ ଡାକ୍ତର ଥିଲେ । ପତ୍ନୀଙ୍କୁ ଏନ୍ଏମ୍ସି କ୍ଲିନିକରେ ବସାଇ ରଘୁରାମ ଗରାଖ ଖୋଜିବାକୁ ବାହାରି ଯାଉଥିଲେ । ସ୍ୱାମୀ-ସ୍ତ୍ରୀଙ୍କର ଅବିଶ୍ରାନ୍ତ ପରିଶ୍ରମ ଫଳରେ ତାଙ୍କ ସଂସ୍ଥାଟି ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ତାଲିକାଭୁକ୍ତ ହେଲା ।
ପରେ ପରେ ରଘୁରାମ ୟୁଏଇ ଏକ୍ସଚେଞ୍ଜ ପ୍ରତିଷ୍ଠା କଲେ । ପଛକୁ ପଛ ଏନ୍ଏମ୍ସି ନିଓଫାର୍ମା ନାମକ ଔଷଧ ଉତ୍ପାଦନକାରୀ ସଂସ୍ଥା ପ୍ରତିଷ୍ଠା କଲେ । ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ହାତରେ ଉକ୍ତ କମ୍ପାନୀକୁ ଲୋକାର୍ପଣ କରିଥିଲେ ।
ଭାଗ୍ୟଦେବୀଙ୍କ ଶୁଭଦୃଷ୍ଟିରୁ ରଘୁରାମଙ୍କ ହାତରେ ମାଟି ସୁନାରେ ପରିଣତ ହୋଇ ଯାଉଥିଲା । ଚାରିଟା ଘରୋଇ ଜେଟ୍, ଆଠଟା ବିଳାସମୟ କୋଠା ଓ ଫାର୍ମ ହାଉସ୍, ହଜାର ହଜାର ଏକର ଚାଷଜମିର ମାଲିକ ରଘୁରାମ ଦୁବାଇର ଉଚ୍ଚତମ ଟାୱାର ବୁର୍ଜ ଖଲିଫା’ରେ ଦୁଇଟି ଫ୍ଲୋର କିଣି ପାରିଥିଲେ ।
ସବୁଦିନ ସମାନ ଯାଏନା । ଆମେରିକାର ମୁଡ୍ଡି ୱାଟର ରିସର୍ଚ୍ଚ ନଜରରେ ପଡ଼ିଗଲା ରଘୁରାମଙ୍କ ଏନ୍ଏମ୍ସି ହେଲ୍ଥ କେୟାର ସଂସ୍ଥାଟି ।
ଆଉ କି ରକ୍ଷା ପାଇପାରନ୍ତି ରଘୁରାମ? ରଘୁରାମଙ୍କ ସଂସ୍ଥା ମୁଣ୍ଡରେ ୧୦୦ କୋଟି ଡଲାର ପରିମାଣର ବ୍ୟବସାୟ ହେରଫେର ଅଭିଯୋଗ ଲଗାଇଦେଲା ମୁଡ୍ଡି ୱାଟର୍ ରିସର୍ଚ୍ଚ ।
ପରିସ୍ଥିତି ଏତେ ତଳକୁ ଚାଲିଗଲା ଯେ କୋଟିପତି ରଘୁରାମ ବିଚରା ରଘୁଆ ପାଲଟିବାକୁ ମାତ୍ର କେଇ ମାସ ସମୟ ଲାଗିଥିଲା । ୧୨ ହଜାର ୪୭୮ କୋଟି ଟଙ୍କାର କମ୍ପାନୀକୁ ମାତ୍ର ୭୪ ଟଙ୍କାରେ ଅନ୍ୟକୁ ହସ୍ତାନ୍ତର କରି ରଘୁରାମ ଫେରି ଆସିଲେ ଭାରତକୁ । ତାଙ୍କ କମ୍ପାନୀକୁ କଳା ତାଲିକାଭୁକ୍ତ କରି ଦିଆଗଲା । ଆବୁ ଧାବି କମର୍ସିଆଲ ବ୍ୟାଙ୍କ ପକ୍ଷରୁ ଆଗତ ଅପରାଧିକ ଅଭିଯୋଗ ରଘୁରାମଙ୍କ ଜୀବନକୁ ଛାରଖାର କରି ଦେଲା । ୨୦୨୦ ମସିହାରେ ଫୋର୍ବସ୍ ବାର୍ଷିକ କୋଟିପତି ତାଲିକାରେ ରଘୁରାମଙ୍କ ନାଁ ନଥିଲା ।
ୟେ ହେଉଛି ରଘୁରାମ ସେଟ୍ଟୀଙ୍କ ଜୀବନର ନାଟକୀୟ ମୋଡ଼ ।