ବର୍ଷ ବର୍ଷ ଧରି ଚାଲିବ ରୁଷ-ୟୁକ୍ରେନ ଯୁଦ୍ଧ!

ରୁଷ-ୟୁକ୍ରେନ ମଧ୍ୟରେ ଆଜକୁ ୧୧୭ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଏହା ଥମିବା ନାଁ…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଆଜକୁ ୧୧୭ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଏହା ଥମିବା ନାଁ ଧରୁନାହିଁ । ପୂର୍ବ ୟୁକ୍ରେନରେ ଏବେ ଯୁଦ୍ଧ ଲାଗିରହିଛି । ଏଭଳି ସ୍ଥିତିରେ ନାଟୋ ମୁଖ୍ୟ ଜେନସ ଷ୍ଟୋଲଟେନବର୍ଗ ବଡ଼ ସତର୍କବାଣୀ କରିଛନ୍ତି । ସେ କହିଛନ୍ତି, ଏହି ଯୁଦ୍ଧ ସହଜେ ଥମିବ ନାହିଁ । ବରଂ ବର୍ଷ ବର୍ଷ ଧରି ଲାଗିରହିବ ।

ସେ କହିଛନ୍ତି, ରୁଷ-ୟୁକ୍ରେନ ମଧ୍ୟରେ ଅଧିକ ଦିନ ଧରି ଯୁଦ୍ଧ ଲାଗିରହିଲେ ଏହା ବେଶ ମହଙ୍ଗା ପଡ଼ିବ । କିନ୍ତୁ ରୁଷକୁ ଯଦି ଏହି ଯୁଦ୍ଧ ଜିତିବାକୁ ଦିଆଯାଏ, ତା’ହେଲେ ଆହୁରି ଅଧିକ ଖରାପ ପରିସ୍ଥିତି ଦେଖାଦେବ । ତେଣୁ ୟୁକ୍ରେନକୁ ସମର୍ଥନ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗଭର ହେବା ଜରୁରି ବୋଲି ସେ କହିଛନ୍ତି । ଏକ ସାକ୍ଷତକାରରେ ନାଟୋ ମୁଖ୍ୟ କହିଛନ୍ତି, ଯୁଦ୍ଧ ଯୋଗୁ ଖାଦ୍ୟ ଓ ଶକ୍ତି ସଂକଟ ଦେଖାଦେଇଛି । ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡୁଛି । ତଥାପି ଏହାକୁ ଜାରି ରଖିବାକୁ ହେବ । ରୁଷ କୌଣସିମତେ ଜିତିବା ଉଚିତ ନୁହେଁ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଲେ ୟୁକ୍ରେନ ଜିତିବା ସମ୍ଭାବନା ଦେଖା ଦେଇପାରେ ।