ବନ୍ୟାରେ ଉବୁଟୁବୁ ଆସାମ: ୨୪ ଘଣ୍ଟାରେ ୯ ମୃତ, ୮ ନିଖୋଜ

ବନ୍ୟାରେ ଉବୁଟୁବୁ ଆସାମ । ଜୁଆଡେ ଚାହିଁବ କେବଳ ପାଣି ଆଉ ପାଣି । ଗତ ୨୪ ଘଣ୍ଟାରେ ବନ୍ୟା…..

ଦିସପୁର: ବନ୍ୟାରେ ଉବୁଟୁବୁ ଆସାମ । ଜୁଆଡେ ଚାହିଁବ କେବଳ ପାଣି ଆଉ ପାଣି । ଗତ ୨୪ ଘଣ୍ଟାରେ ବନ୍ୟା ଏବଂ ଭୂସ୍ଖଳନରେ ୯ ଜଣ ପ୍ରାଣ ହରାଇଛନ୍ତି । ଆସାମ ଷ୍ଟେଟ  ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬ ଜଣ ପାଣିରେ ବୁଡି ଏବଂ ୩ ଜଣଙ୍କର ଭୂସ୍ଖଳନ ଯୋଗୁ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଆସାମରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି । ସେହିପରି ବନ୍ୟା ଯୋଗୁ ୮ ଜଣ ନିଖୋଜ ଅଛନ୍ତି । ଏବେବି ୫ ହଜାରରୁ ଅଧିକ ଗାଁ ପାଣି ଘେରରେ ରହିଛି । ଏମିତିକି ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଡଙ୍ଗା ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଯାଉଛି । ପିଇବା ପାଣି, ବିଦ୍ୟୁତ୍‌ ଏବଂ ଯାତାୟତରେ ଘୋର ସମସ୍ୟା ଦେଖାଦେଇଛି । କେବଳ ବାରପେଟା ଜିଲ୍ଲାରେ ୧୨ ଲକ୍ଷରୁ ଅଧିକ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ପାଣି ଘେରରୁ ହାଜର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ।