ସ୍କୁଟି ଆରୋହୀ ବୃଦ୍ଧଙ୍କୁ ଗୋଟାଏ କିଲୋମିଟର ଟାଣିନେଲା

ମାତ୍ର ବାରମ୍ବାର ପଛକୁ ଅନାଇ ସାହିଲ ତୀବ୍ରଗତିରେ ଗାଡ଼ି ଚଳାଇବା ଅକ୍ଷମଣୀୟ…

ବେଙ୍ଗାଲୁରୁ: ଜଣେ ସ୍କୁଟି ଆରୋହୀ ଜନୈକ ବରିଷ୍ଠ ବ୍ୟକ୍ତିଙ୍କୁ ପ୍ରାୟ ଗୋଟିଏ କିଲୋମିଟର ଟାଣିନେବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଦେଖଣାହାରୀ ଅଭିଯୁକ୍ତ ସ୍କୁଟି ଚାଳକକୁ ତୀବ୍ର ସମାଲୋଚନା କରିଛନ୍ତି । ସୂଚନା ମୁତାବକ ମଙ୍ଗଳବାର ଅପରାହ୍ଣରେ ବେଙ୍ଗାଲୁରୁ ସହର ରାସ୍ତାରେ ସ୍କୁଟି ଚଳାଇ ଜଣେ ଯୁବକ ଯାଉଥିବା ସମୟରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପ୍ରଥମେ ଧକ୍କା ଦେଇଥିଲା । ପରେ ତାଙ୍କୁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଗଲା । ବରିଷ୍ଠ ବ୍ୟକ୍ତିଙ୍କୁ ଟାଣିଟାଣି ନେଉଥିବା ବେଳେ ଯୁବକ ଜଣକ ନିର୍ଲଜଙ୍କ ଭଳି ବାରମ୍ବାର ପଛକୁ ଅନାଉଥିଲା ।

ଲୋକମାନେ ସ୍କୁଟି ପିଛା କରିବାରୁ ଅନ୍ୟ ବାଟ ନପାଇ ସଂପୃକ୍ତ ଯୁବକ ଗାଡ଼ି ଅଟକାଇଥିଲେ । ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପରେ ପୀଡ଼ିତ ବରିଷ୍ଠ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରିଛନ୍ତି । ପୁଲିସ କହିଛି, ବେଙ୍ଗାଲୁରୁର ମଗଦୀ ରୋଡରେ ଏହି ଘଟଣାଟି ଦେଖିବାକୁ ମିଳିଥିଲା । ମୁଥାପା ନାମକ ଜଣେ ବରିଷ୍ଠ ବ୍ୟକ୍ତି ତାଙ୍କ ବୋଲେରୋ ଚଳାଇ ଯାଉଥିଲେ । ସାହିଲ ନାମକ ଜଣେ ଯୁବକ ସ୍କୁଟି ଚଳାଇ ଯାଉଥିବା ସମୟରେ ମୋବାଇଲରେ କଥା ହେଉଥିବାରୁ କାର ପଛକୁ ଧକ୍କା ମାରିଥିଲା ।

ବରିଷ୍ଠ ବ୍ୟକ୍ତିଜଣକ ଗାଡ଼ିରୁ ଓହ୍ଲାଇ ଯୁବକଙ୍କ ନିକଟକୁ ଗଲେ । ତାଙ୍କୁ ଦେଖି ସାହିଲ ସ୍କୁଟି ଚଳାଇ ପଳାଇବାକୁ ଉଦ୍ୟମ କରିଥିଲା । ବରିଷ୍ଠ ବ୍ୟକ୍ତିଜଣକ ସ୍କୁଟିର ପଛଭାଗକୁ ଧରି ପକାଇଲେ । କିନ୍ତୁ ସାହିଲ ସ୍କୁଟି ଅଟକାଇ ବଦଳରେ ତାଙ୍କୁ ଏକ କିଲୋମିଟର ବାଟ ଟାଣି ନେଇଥିଲା । ପୀଡ଼ିତ ବୟସ୍କ ବ୍ୟକ୍ତି କହିଚନ୍ତି, ସାହିଲ ଗାଡ଼ି ଅଟକାଇ ଦେଇଥିଲେ, ସେ ତାକୁ କ୍ଷମା କରି ଦେଇଥାନ୍ତେ । ମାତ୍ର ବାରମ୍ବାର ପଛକୁ ଅନାଇ ସାହିଲ ତୀବ୍ରଗତିରେ ଗାଡ଼ି ଚଳାଇବା ଅକ୍ଷମଣୀୟ ଅପରାଧ । ତାକୁ କ୍ଷମା କରିବାର ପ୍ରଶ୍ନ ଉଠୁନାହିଁ ।