୨୦୨୪ ଜୁନ ପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷ ରହିବେ ଜେପି ନଡ୍ଡା

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣରେ ଶେଷ ହୋଇଛି ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ହାତରେ ମାତ୍ର ୪୦୦ ଦିନ ଅଛି ।

ଏତିକି ଦିନ ଭିତରେ ଦଳର ପ୍ରତି ପଦାଧିକାରୀ ଓ କର୍ମୀ ପ୍ରତ୍ୟେକ ଭୋଟରଙ୍କ ଦୁଆର ମୁହଁରେ ପହଂଚିବା ଉଚିତ । ଦଳର ଦ୍ୱିତୀୟ ଦିନ ବୈଠକରେ ନଡ୍ଡାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳକୁ ୨୦୨୪ ଜୁନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଜାନୁଆରୀ ୨୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ।

ଜେପିଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳ ବଢ଼ାଇ ଦିଆଯିବା ବିଷୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଲାଲକୃଷ୍ଣ ଆଡ଼ଭାନୀ, ଅମିତ ଶାହଙ୍କ ପରେ ଜେପି ନଡ୍ଡା ତୃତୀୟ ନେତା ଯିଏ ଲଗାତର ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅବଶ୍ୟ ରାଜନାଥ ସିଂହ ଦୁଇଥର ଦଳର ଅଧ୍ୟକ୍ଷ ହୋଇଛନ୍ତି । କିନ୍ତୁ ସେ ଲଗାତର ଅଧ୍ୟକ୍ଷ ରହି ନଥିଲେ ।

୨୦୧୯ ଜୁନରେ ନଡ୍ଡା ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହୋଇଥିଲେ । ୨୦୨୦ ଜାନୁଆରୀ ୨୦ ତାରିଖରେ ସେ ସର୍ବସମ୍ମତି କ୍ରମେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ । ତାଙ୍କ ପୂର୍ବରୁ ଅମିତ ଶାହଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳକୁ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଥିଲା ।