ଖୋଲୁଛି ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ରହସ୍ୟ

ମମତାଙ୍କ ଲୋକପ୍ରିୟ ବିଧାୟକ ପାର୍ଥ ମହାଠକ

୬୬ ଦିନ ଟପିଲା ଦୁହିଁଙ୍କ ଜେଲ ରହଣି….

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ ନେତା ପାର୍ଥ ଚାଟାର୍ଜୀଙ୍କର ବହୁ ଗୁମର ଖୋଲିଛି ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) । ବୁଧବାର ସେସନ୍‌ କୋର୍ଟରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ୍‌ ଆବେଦନର ବିଚାର ଚାଲିଥିଲା । ପାର୍ଥଙ୍କୁ ଜାମିନ ପିଟିସନ୍‌କୁ ବିରୋଧ କରି ଇଡି ଓକିଲ ୧୪ ହଜାରରୁ ଅଧିକ ପୃଷ୍ଠା ସମ୍ବଳିତ ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲେ । ଇଡି ରିପୋର୍ଟ ମୁତାବକ ଶିକ୍ଷାମନ୍ତ୍ରୀ ଥିବା ସମୟରେ ପାର୍ଥ ଚାଟାର୍ଜୀ ତାଙ୍କର ଘନିଷ୍ଠ ବାନ୍ଧବୀ ଅର୍ପିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ପ୍ରଦାନ କରିଛନ୍ତି ।

ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ କମ୍ପାନୀ ଟେକ୍ଟ ଫାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକାଂଶ ଭାଗ ଅର୍ପିତାଙ୍କ ନାମରେ କରିଛନ୍ତି । ଶିକ୍ଷକ ନିଯୁକ୍ତି ପାଇଁ ଅଭିଯୁକ୍ତ ପାର୍ଥ କୋଟିକୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି । ସେହି ଟଙ୍କାକୁ ନିଜ ବ୍ୟବସାୟରେ ଖଟାଇବା ସହ ଅର୍ପିତାଙ୍କ ସହ ବିଦେଶ ବୁଲିଛନ୍ତି । ଅର୍ପିତାଙ୍କ ସପିଙ୍ଗ ବିଲ ପାର୍ଥ ପେମେଂଟ କରୁଥିବାର ବହୁ ପ୍ରମାଣ ଇଡି ହାତରେ ଲାଗିଛି । ପାର୍ଥ ଓ ଅର୍ପିତା ମିଶି ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ । ଉଭୟେ ପ୍ରାୟ ୧୦ କୋଟି ଟଙ୍କାର ସ୍ଥାୟୀ ଓ ଅସ୍ଥାୟୀ ସମ୍ପତିର ମାଲିକ ।

ଜାମିନ୍‌ ପିଟିସନ୍‌ରେ ପାର୍ଥ ଦାଖଲ କରିଥିବା ସତ୍ୟପାଠକୁ ଇଡି ପ୍ରତିବାଦ କରିଛି । ଇଡି କହିଛି ଯେ ପାର୍ଥଙ୍କ ସତ୍ୟପାଠରେ ଡାହା ମିଛ ତଥ୍ୟ ରହିଛି । ପାର୍ଥ ନିଜକୁ ଆଇନ ଛାତ୍ର ଦର୍ଶାଇ ବ୍ରିଟିଶ ଶାସନାଧିନ ଭାରତରେ ଶିକ୍ଷାବୃତି ପାଉଥିବା ଉଲ୍ଲେଖ କରିଥିଲେ ଯାହା ସଂପୂର୍ଣ୍ଣ ମିଛ । ଇଡି ତଥ୍ୟ ମୁତାବକ ପାର୍ଥ ସ୍ୱାଧୀନ ଭାରତରେ ଜନ୍ମଲାଭ କରିଛନ୍ତି । ସେ ବ୍ରିଟିଶ ଭାରତରେ ଆଇନ ଛାତ୍ର ହୋଇ ନପାରନ୍ତି । ସେ ବ୍ରିଟିଶ ଭାରତରେ ଶିକ୍ଷାବୃତି ପାଉଥିବା ଡାହା ମିଛ । ଜାମିନ୍‌ ପିଟିସନ୍‌ରେ ପାର୍ଥ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ ଶିକ୍ଷାମନ୍ତ୍ରୀ ଦାୟିତ୍ୱରେ ଥିଲା ବେଳେ ଲାଂଚ ବାବଦକୁ ଟଙ୍କାଟିଏ ମଧ୍ୟ ନେଇନାହାନ୍ତି । ଇଡି ତାଙ୍କ ଘରକୁ ୨୪ ଘଂଟାରୁ ଅଧିକ ସମୟ ଧରି ଖାସତଲାସ କରିବା ପରେ ମଧ୍ୟ ସେଭଳି କିଛି ପାଇ ନଥିଲା ।

ଅତଏବ ତାଙ୍କୁ ଜାମିନ ମଂଜୁର କରାଯାଇ ଶାନ୍ତିରେ ରହିବାକୁ ଦିଆଯାଉ । ଅନ୍ୟତମ ଅଭିଯୁକ୍ତ ଅର୍ପିତା ମଧ୍ୟ ତାଙ୍କ ଜାମିନ୍‌ ପିଟିସନ୍‌ରେ ଦର୍ଶାଇଥିଲେ ଯେ ତାଙ୍କ ଫ୍ଲାଟରୁ ଜବତ କରାଯାଇଥିବା ୪୯ କୋଟି ଟଙ୍କା ସଂପର୍କରେ ସେ କିଛି ଜାଣିନାହାନ୍ତି । ଏଠାରେ ଜଣାଇ ଦିଆଯାଉଛି କି, ଜୁଲାଇ ୨୩ ଓ ୨୮ ତାରିଖରେ ଇଡି ଅର୍ପିତାଙ୍କ ଦୁଇଟି ଫ୍ଲାଟ୍‌ ଉପରେ ଚଢ଼ାଉ କରି ୪୯ କୋଟି ଟଙ୍କା ଜବତ କରିଥିଲା ।