ଇ-ମେଲରେ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି । ଏନେଇ ସେ ଦିଲ୍ଲୀ ପୋଲିସକୁ କହିଛନ୍ତି ଯେ ତାଙ୍କୁ ଆଇଏସ୍‌ଆଇଏସ୍‌ କାଶ୍ମୀରରୁ ହତ୍ୟା ଧମକ ମିଳିଛି । ଏନେଇ ଡିସିପି କେନ୍ଦ୍ରୀୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।ଏହାସହ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀ ସେଣ୍ଟ୍ରାଲ୍‌ ଡିସିପିଙ୍କ ନିକଟକୁ ପଠାଇଥିବା ଚିଠିରେ ଗମ୍ଭୀର ଦର୍ଶାଇଥିଲେ ଯେ ସେ ଆଇଏସ୍‌ଆଇଏସ୍‌ କଶ୍ମୀର’ରୁ ଏକ ଇ-ମେଲ ପାଇଛନ୍ତି ।

ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ହୋଇଛି । ଏନେଇ ଏକ ମାମଲା ରୁଜୁ ହେବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା । ୨୦୧୯ରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ଏକ ହତ୍ୟା ଧମକ ଦିଆଯାଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ବଡ଼ଭାଇ କହିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିଥିଲେ ବିଜେପି ସାଂସଦ ଗୌତମ ଗମ୍ଭୀର ।