ମଝି ଆକାଶରେ ଧକ୍କା ହେଉ ହେଉ ବର୍ତ୍ତିଗଲା ଦୁଇ ବିମାନ

ବାଙ୍ଗାଲୁରୁ : ମଝି ଆକାଶରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ଭୁବନେଶ୍ୱର ଆସୁଥବା ଇଣ୍ଡିଗୋ ବିମାନ । ବାଙ୍ଗାଲୁରୁ ଆକାଶରେ ଗତ ଜାନୁଆରି ୭ ତାରିଖରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ସହ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ସବୁଠୁ ବଡ କଥା ହେଉଛି ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭୁବନେଶ୍ୱର ଓ ଅନ୍ୟଟି କୋଲକାତା ଯାଉଥିଲା ।

ଏହି ଘଟଣା କାମ୍ପାଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଏୟାରପୋର୍ଟର ଉତ୍ତର ରନୱେକୁ ଡିପାର୍ଚ଼ର ପାଇଁ ଓ ଦକ୍ଷିଣ ରନୱେକୁ ଆରାଇଭାଲ ପାଇଁ ବ୍ୟବହାର କରାଯାଏ । କିନ୍ତୁ ସେଦିନ ଭୁବନେଶ୍ୱର ଅଭିମୁଖୀ ଇଣ୍ଡିଗୋ ଓ କୋଲକାତା ଅଭିମୁଖୀ ଅନ୍ୟଏକ ଇଣ୍ଡିଗୋ ବିମାନକୁ ଉଭୟ ରନୱେରେ ଡିପାର୍ଚର ପାଇଁ ଅନୁମତି ଦିଆଯାଇଥିଲା । ଫଳରେ ଦୁଇ ବିମାନ ରନୱେରୁ ଉଡାଣ ଲାଗି ବାହାରି ଯାଇଥିଲେ ।

ଏହି ସମୟରେ ରାଡାର କଣ୍ଟ୍ରୋଲରେ ଏହା ଦେଖି ତତକାଳ ଏ ସଂପର୍କରେ ବିମାନର ପାଇଲଟଙ୍କୁ ଜଣାଇ ଦିଆଯାଇଥିଲା । ଏହପରେ ମଝି ଆକାଶରେ ଉଭୟ ବିମାନ ଏକ ବଡ ଦୁର୍ଘଟଣାରୁରୁ ବର୍ତ୍ତିଯାଇଥିଲେ । ତେବେ ଏହି ଭୁଲ ସଂପର୍କରେ ଏୟାରପୋର୍ଟ ଅଥରିଟିଙ୍କୁ ସୂଚନା ଦିଆଯାଇ ନାହିଁ ଓ ଏୟାରପୋର୍ଟ ଲଗବୁକରେ ମଧ୍ୟ ଏହାର ଉଲ୍ଲେଖ କରାଯାଇନାହିଁ । ଏନେଇ ଏଏଆଇ ପକ୍ଷରୁ ଏହାର ତଦନ୍ତ କରାଯାଉଛି ଓ ଅବହେଳା ଲାଗି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।