ପାକିସ୍ତାନକୁ ଯୋଗାଉଥିବା ସାମରିକ ସହାୟତାକୁ ରୋକ୍ ଲଗାଇଛି ଆମେରିକା

ନୂଆଦିଲ୍ଲୀ : ପାକିସ୍ତାନକୁ ଯୋଗାଉଥିବା ସମସ୍ତ ସାମରିକ ସହାୟତା ଉପରେ ରୋକ୍ ଲଗାଇଛି ଆମେରିକା। ପାକିସ୍ତାନକୁ ଆତଙ୍କବାଦ କବଳରୁ ସୁରକ୍ଷା ଦେବା ପାଇଁ ଆମେରିକା ଏହି ସାମରିକ ସହାୟତା ଯୋଗାଉଥିଲା। ଆମେରିକାର ସେନାକୁ ଆତଙ୍କବାଦୀ ମାରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିବା ପରେ ଟ୍ରମ୍ପ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆ-ଆମେରିକାନ ରିପବ୍ଲିକାନ୍ ରାଜନେତା ତଥା ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ନିକି ହାଲେ ଏହି ସୂଚନା ଦେଇଛନ୍ତି।

ଅନ୍ୟପଟେ ଅକ୍ଟୋବର ୨୬ ଏବଂ ୨୭ରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସପର ଭାରତ ଆସୁଛନ୍ତି। ଭାରତ ସହିତ ସାଟେଲେଇଟ୍ ଚୁକ୍ତି ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏଥିସହ ଚାଇନା ଏବଂ ଆତଙ୍କବାଦ ଦମନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ସୂଚନା ରାହିଛି । ଭାରତ ସପକ୍ଷରେ ଆମେରିକା ବାହାରୁଥିବା ବେଳେ ଚାଇନା ମଧ୍ୟ ପାକିସ୍ତାନକୁ ଅର୍ଥନୀତି, କୂଟନୀତି ଆଦିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ହେଲେ ଆମେରିକା ଏବଂ ପାକିସ୍ତାନ ପାଇଁ ଆତଙ୍କବାଦ ଦମନ ଏବଂ ଚାଇନା ବଡ଼ ଚ୍ୟାଲେଞ୍ଜ। ତେଣୁ ଭାରତ ଗସ୍ତରେ ଆମେରିକାର ଦୁଇ ପ୍ରମୁଖ ମନ୍ତ୍ରୀ ଆସିବା ପୂର୍ବରୁ ପାକିସ୍ତାନକୁ ସାମରିକ ସହାୟତା ବନ୍ଦ କରିବା ଭାରତ ପାଇଁ କୂଟନୀତି କ୍ଷେତ୍ରରେ ବଡ଼ ବିଜୟ।

ଏହା ପୂର୍ବରୁ ୨୦୧୮ରେ ଇସଲାମାବାଦକୁ ୩୦୦ ମିଲିଅନ ଡଲାର ଦେବାକୁ ଆମେରିକା ସ୍ଥିର କରିଥିଲା। ହେଲେ ଆତଙ୍କବାଦ ଦମନ ନେଇ ପାକିସ୍ତାନ ନିରବ ରହିବାରୁ ଆମେରିକା ଏହି ପାଣ୍ଠି ଉପରେ ରୋକ୍ ଲଗାଇଥିଲା। ଅନ୍ତିମ ୧୫ ବର୍ଷ ମଧ୍ୟରେ ଆମେରିକା ୩୩ ବିଲିଅନ ଡଲାରର ସାମରିକ ସହାୟତା ଯୋଗାଇ ସାରିଛି।