‘ମାଗଣାରେ ନିରୋଧ ବିତରଣ କରିବୁ’

ଜିଭକୁ ଅଟକାଇ ପାରିଲେନି ମହିଳା ଆଇଏଏସ୍‌…….

ପାଟନା: ବିହାର ରାଜଧାନୀ ପାଟନାରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗଦାନ କରିଥିବା ଜଣେ ମହିଳା ଆଇଏଏସ୍‌ ଅଧିକାରୀଙ୍କ ଅଂସଯତ ଜବାବରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସମାଜରୁ ଲିଙ୍ଗଗତ ବୈଷମ୍ୟ ହଟାଇବା ଉଦ୍ଦେଶ୍ୟରେ କର୍ମଶାଳାର ଆୟୋଜନ କରାଯାଇଥିଲା ।

ୟୁନିସେଫ୍‌, ସେଭ୍‌ ଦି ଚିଲଡ୍ରେନ୍‌, ପ୍ଲାନ୍‌ ଇଂଟର୍‌ନ୍ୟାସ୍‌ନାଲ ସହଯୋଗରେ ରାଜ୍ୟର ମହିଳା ଓ ବାଳ ବିକାଶ ନିଗମ ପକ୍ଷରୁ ‘ସଶକ୍ତ ବେଟି, ସମୃଦ୍ଧ ବିହାର’ କର୍ମଶାଳା ଆୟୋଜନ କରାଯାଇଥିଲା । ଉକ୍ତକର୍ମଶାଳାରେ ଜଣେ ଛାତ୍ରୀ ଆଲୋଚନାରେ ଭାଗ ନେଇଥିବା ଅତିଥିଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ ସରକାର ଛାତ୍ରୀମାନଙ୍କୁ ୨୦/୩୦ ଟଙ୍କା ମୂଲ୍ୟର ସାନିଟାରୀ ନାପ୍‌କିନ୍‌ ବିତରଣ କରିବାରେ ଅସୁବିଧା କ’ଣ ଅଛି?

ଛାତ୍ରୀଙ୍କର ଏହି ସାମାନ୍ୟ ପ୍ରଶ୍ନରେ ନିଅାଁବାଣ ହୋଇ ଉପସ୍ଥିତ ଜଣେ ବରିଷ୍ଠ ମହିଳା ଆଇଏଏସ୍‌ ଅଧିକାରୀ ହରଜିତ୍‌ କୌର ବୁମ୍‌ରାହ କହିଥିଲେ, ‘ଲୋକଙ୍କ ପାଖରେ ମାଗିବାର କୌଣସି ସୀମା ନାହିଁ । ଆଜି ୨୦/୩୦ ଟଙ୍କାର ସାନିଟାରୀ ନାପ୍‌କିନ୍‌ ଦବୁ । କାଲି ଜିନ୍ସ ଓ ଟପ୍‌ ଦେବାର ବନ୍ଦୋବସ୍ତ କରିବୁ । ତା’ପରେ ଗୋଡ଼କୁ ସୁନ୍ଦର ସୁନ୍ଦର ଜୋତା ମାଗିବ । ଶେଷରେ ପରିବାର ନିୟୋଜନ କଥା ଉଠିଲେ, ମାଗଣାରେ ନିରୋଧ ବାଂଟିବାକୁ ପଡ଼ିବ ।’

ସଂପୃକ୍ତ ମହିଳା ଆଇଏଏସ୍‌ ଅଧିକାରୀ ସ୍ମରଣ ରଖିବା ଉଚିତ୍‌ ଯେ ସେ ଯେଉଁ ଦରମା ପାଉଛନ୍ତି; ତାହା ସାଧାରଣ ଲୋକଙ୍କ ଟିକସରେ ଗଠିତ ରାଜକୋଷରୁ ଦିଆଯାଉଛି । ସାଧାରଣ ଲୋକଙ୍କ ମନରୁ ସନ୍ଦେହ ହଟାଇବାକୁ ଯାଇ ଏଭଳି ଅସଂଯତ ଜବାବ ଦେବା ଅକ୍ଷମଣୀୟ ଅପରାଧ । ସାଧାରଣ ଲୋକଙ୍କୁ ସମ୍ମାନର ସହିତ ଜବାବ୍‌ ଦେବାକୁ କୁଣ୍ଠାବୋଧ କରୁଥିବା ମହିଳା ଆଇଏଏସ୍‌ ସ୍ୱାଭିମାନର ସହିତ ଇସ୍ତଫା ଦେଇ ଚାଲିଯିବା ଦରକାର ବୋଲି ପ୍ରତିକ୍ରିୟା ପ୍ରକାଶ କରିଛି ଏନ୍‌ୟୁବିସିର ବିହାର ଶାଖା ।