ଆମେ ଜାନୁଆରୀ ୨୬କୁ ଗଣତନ୍ତ୍ର ଦିବସ ଭାବେ ପାଳନ କରୁ କାହିଁକି?

ପୂର୍ଣ୍ଣ ସ୍ୱରାଜ ଡାକରା..

୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିବାରୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖଟିକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି । ବାସ୍ତବ ତଥ୍ୟ ହେଉଛି, ସମ୍ବିଧାନ ପ୍ରଣୟନ ସଂସ୍ଥା ୧୯୪୯ ନଭେମ୍ବର ୨୬ ତାରିଖଟିକୁ ଔପଚାରିକ ଭାବେ ସମ୍ବିଧାନ କାର୍ଯ୍ୟକାରୀ ଦିବସ ଭାବେ ଲିପିବଦ୍ଧ କରିଛନ୍ତି ।

ତେବେ ଜାନୁଆରୀ ୨୬କୁ ଗଣତନ୍ତ୍ର ଦିବସ ପାଳନ କରିବାର ତାତ୍ପର୍ଯ୍ୟ କ’ଣ? ଏହାର ଜବାବ ଖୋଜିବାକୁ ହେଲେ ଆମକୁ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ୧୯୩୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସରକାର ବିରୋଧରେ ଭାରତ ଔପଚାରିକ ଭାବେ ‘ପୂର୍ଣ୍ଣ ସ୍ୱରାଜ’ ଡାକରା ଦେଇଥିଲା ।

ଚୌରୀଚୌରା ଘଟଣାରେ ମର୍ମାହତ ହୋଇ ମହାତ୍ମା ଗାନ୍ଧୀ ୧୯୨୨ ଫେବୃଆରୀରେ ଅସହଯୋଗ ଆନ୍ଦୋଳନ ଡାକରା ପ୍ରତ୍ୟାହାର କରିନେଲେ । ଅହିଂସା ଉପାୟରେ ସ୍ୱାଧୀନତା ହାସଲ କରିବା ପାଇଁ ଭାରତ ଏ ଯାଏ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନାହିଁ ବୋଲି ଗାନ୍ଧୀଜୀ ଅନୁଭବ କଲେ । ୧୯୨୦ ଦଶନ୍ଧିରେ ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି ବିପ୍ଲବୀମାନେ ବୀରଗତି ଲାଭ କଲେ । ସେହି ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଜବାହରଲାଲ ନେହୁରୁ, ସୁଭାଷ ଚନ୍ଦ୍ର ବୋଷ, ବଲ୍ଲଭଭାଇ ପଟେଲ ଓ ସି ରାଜଗୋପାଲଚାରୀଙ୍କ ଭଳି ଯୁବକମାନେ ଆଗଧାଡ଼ିରେ ଠିଆ ହେଲେ । ୧୯୨୭ରେ ଭାରତରେ ରାଜନୈତିକ ସଂସ୍କାର କରିବା ପାଇଁ ସାର ଜନ୍‌ ସାଇମନଙ୍କ ଅଧ୍ୟକ୍ଷତାରେ ବ୍ରିଟିଶ ସରକାର ଗୋଟିଏ ୭ ଜଣିଆ ସଭ୍ୟ ବିଶିଷ୍ଟ କମିଟି ଗଠନ କଲେ । ଉକ୍ତ କମିଟିର ନାମ ସାଇମନ୍‌ କମିଶନ କୁହାଗଲା । ସାଇମନ କମିଶନ ପ୍ରସ୍ତାବଗୁଡ଼ିକୁ ଜାତୀୟ କଂଗ୍ରେସ ପ୍ରତ୍ୟାଖ୍ୟାନ କଲା । ପରିଣାମ ସ୍ୱରୂପ ଭାରତର ପ୍ରତ୍ୟେକ କୋଣରୁ ଇଂରେଜ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଲା । ଦେଶସାରା ଗୁଞ୍ଜରଣ ଶୁଣାଗଲା ‘ସାଇମନ୍‌ ଫେରିଯାଅ’

ତା’ରି ଭିତରେ ଛୋଟଛୋଟ ଘଟଣାମାନ ମୁଣ୍ଡ ଟେକିଥିଲା ଯାହା ସେତେ ପ୍ରଭାବଶାଳୀ ନଥିଲା । ତେବେ ୧୯୨୯ ଡିସେମ୍ବର ୧୯ ତାରିଖରେ ଲାହୋରରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ‘ପୂର୍ଣ୍ଣ ସ୍ୱରାଜ’ ପ୍ରସ୍ତାବ ସର୍ବସମ୍ମତ ଭାବେ ଅନୁମୋଦିତ ହେଲା । ପୂର୍ଣ୍ଣ ସ୍ୱରାଜ’ ଅର୍ଥ ନିଜକୁ ସାର୍ବଭୌମତ୍ୱ ଭାବେ ଘୋଷଣା କରିବା । ଉକ୍ତ ପ୍ରସ୍ତାବରେ ଉଲ୍ଲେଖ କରାଗଲା ଯେ ବ୍ରିଟିଶ ସରକାର ଭାରତବାସୀଙ୍କୁ ଶୋଷଣ କରିବା ଆଭିମୁଖ୍ୟ ରଖି ସ୍ୱାଧୀନତା ଘୋଷଣା କରୁନାହିଁ । ଭାରତର ଆର୍ଥିକ, ରାଜନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶକୁ ଲୁଟୁଛି ବ୍ରିଟିଶ ସରକାର । ବ୍ରିଟିଶ ସରକାରଙ୍କ ଶୋଷଣମୁଖୀ ଚିନ୍ତାଧାରାରୁ ମୁକ୍ତ କରିବା ପାଇଁ ଭାରତ ‘ପୂର୍ଣ୍ଣ ସ୍ୱରାଜ’ ଘୋଷଣା କରିବାକୁ ବାଧ୍ୟ ହେଉଛି । ଉକ୍ତ ପୂର୍ଣ୍ଣ ସ୍ୱରାଜକୁ ଔପଚାରିକ ଭାବେ ୧୯୩୦ ଜାନୁଆରୀ ୨୬ ତାରିଖରୁ ଆରମ୍ଭ କରାଗଲା ।