କଟକ ବଡ଼ ଡାକ୍ତରଖାନା ନୁହେଁ ଯମପୁର

ଡାକ୍ତର, ନର୍ସ ଓ କର୍ମଚାରୀ ଜଣେଜଣେ ଯମଦୂତ…

କଟକ,(ସା କ୍ ସୀ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ କଟକ ବଡ଼ ଡାକ୍ତରଖାନା କ୍ରମେ ଯମପୁର ପାଲଟିଲାଣି । ଏକଦା ରାଜ୍ୟବାସୀଙ୍କ ଦୃଷ୍ଟିରେ ଅମୃତ ଦୁନିଆ ବୋଲାଉଥିବା କଟକ ବଡ଼ ଡାକ୍ତରଖାନା ଆଉ ଲୋକଙ୍କୁ ନୂଆ ଜୀବନ ଦେଉନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ଗରିବଙ୍କ ସୁରକ୍ଷା କବଚ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଯେତିକି ଲୋକପ୍ରିୟ କରୁଛନ୍ତି । ରୋଗୀଙ୍କୁ ସେତିକି ପରିମାଣର ହଇରାଣ ହରକତ କରି କଟକ ବଡ଼ ଡାକ୍ତରଖାନା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ବଦନାମର ଦ୍ୱାରଦେଶରେ ପହଂଚାଉଛି ।

ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ସେବା ନପାଇ କଟକ ବଡ଼ ଡାକ୍ତରଖାନାକୁ ଧାଇଁ ଆସୁଥିବା ଲୋକମାନେ ଏବେ ଖୋଲାଖୋଲି ନିନ୍ଦା କରିବାକୁ ପଛାଉ ନାହାନ୍ତି । ବାଲେଶ୍ୱରରୁ ରୋଗୀଙ୍କୁ ଧରି କଟକ ଧାଇଁ ଆସିଥିବା ଗୋଟିଏ ପରିବାର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଓ କଲେଜକୁ ‘ଯମପୁର’ ବର୍ଣ୍ଣନା କରିଛନ୍ତି । ଡାକ୍ତରଖାନାର ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ଯମଦୂତ କହିଛନ୍ତି ।

କଟକ ବଡ଼ ଡାକ୍ତରଖାନାରେ ଅକ୍ସିଜେନ୍‌ ନ ମିଳିବା ଆଜିକାଲି ମାମୁଲି ଘଟଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୌରବର ଐତିହ୍ୟ କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନମିଳିବା ଅତ୍ୟନ୍ତ ଲଜ୍ଜାକର ଘଟଣା । ସୂଚନା ମୁତାବକ ବାଲେଶ୍ୱରର ଜଣେ ଶ୍ୱାସରୋଗୀଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍‌ ୱାର୍ଡକୁ ପଠାଇ ଦିଆଗଲା ।

ମେଡିସିନ୍‌ ୱାର୍ଡରେ ରୋଗୀଙ୍କୁ ଅକ୍ସିଜେନ ଦେବା ପାଇଁ ପରିବାର ଲୋକେ ଯେତେ ଅନୁରୋଧ କଲେ ମଧ୍ୟ ଡାକ୍ତରଖାନା ପକ୍ଷରୁ ଦିଆଗଲାନି । ବାରମ୍ବାର ଅନୁରୋଧ କରିବାରୁ ଅକ୍ସିଜେନ୍‌ ନାହିଁ ବୋଲି ନର୍ସ ଜଣକ କହିଥିଲେ । ଅକ୍ସିଜେନ ନପାଇ ରୋଗୀଜଣକ ପ୍ରାଣ ହରାଇଥିଲେ । ରୋଗୀଙ୍କ ସଂପର୍କୀୟମାନେ ପ୍ରବଳ ପାଟିତୁଣ୍ଡ କରି ଅଭିଯୋଗ କରିଥିଲେ ଯେ ହକି ବିଶ୍ୱକପ୍‌ ଆୟୋଜନ ପାଇଁ ସରକାରଙ୍କ ପାଖରେ କୋଟିକୋଟି ଟଙ୍କା ଅଛି ।

ଚଳଚ୍ଚିତ୍ର ନାୟିକାଙ୍କ ଅଧା ଲଙ୍ଗଳା ନାଚ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜକୋଷରୁ ପାଣି ପରି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି । ମାତ୍ର ରୋଗୀଙ୍କ ପାଇଁ ଅକ୍ସିଜେନ୍‌ କିଣିବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ । ରୋଗୀଙ୍କୁ ପୋକମାଛି ମଣି ଡାକ୍ତରଖାନାରେ ମାରି ଦିଆଯାଉଛି । ଧନ୍ୟ ଏ ରାଜ୍ୟ, ଧନ୍ୟ ନବୀନ ସରକାର ।