ଜୀବନଟା କ’ଣ ଏତେ ଶସ୍ତା

ହତ୍ୟାକାରୀ ପଚାରୁଛି, ମୃତଦେହକୁ କ’ଣ କରିବି?…

ପେନ୍‌ସିଲଭାନିଆ: ଜୀବନଟା ସତେ ଯେମିତି ଖେଳଘର ପାଲଟିଛି । ଦିଲ୍ଲୀରେ ଜଣେ ଯୁବକ ତା’ର ଲିଭ୍‌-ଇନ୍‌-ପାର୍ଟନରଙ୍କୁ ୩୫ ଖଣ୍ଡ କରିଦେଲା ପରେ ଏବେ ଆଇନ ହାତକୁ ଖସିବା ପାଇଁ ପୁଲିସକୁ ଘଣା ବୁଲାଉଛି । ପେନ୍‌ସିଲଭାନିଆରେ ଜଣେ ୧୬ ବର୍ଷ ବୟସର ନାବାଳକ ନିଜ ଘରେ ଜଣେ ନାବାଳିକାଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଭିଡିଓ ବନାଇ ଦର୍ଶକଙ୍କୁ ପଚାରୁଛି, ଏ ମୃତଦେହକୁ ନେଇ କ’ଣ କରିବି? କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଗାଧୁଆ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ।

ଅଭିଯୁକ୍ତ ନାବାଳକକୁ ଧରିବା ପାଇଁ ଧରପଗଡ଼ ଆରମ୍ଭ କଲା । ଅଧଘଂଟା ଭିତରେ ଅଭିଯୁକ୍ତକୁ ଧରି କୋର୍ଟକୁ ଚାଲାଣ କଲା । କୋର୍ଟ ଜାମିନ ନାମଞ୍ଜୁର କରି ଅଭିଯୁକ୍ତକୁ ସୁଧାର କେନ୍ଦ୍ରକୁ ପଠାଇ ଦେଇଛି । ଗତ କିଛିଦିନ ଧରି ଆମେରିକାର ବିଭିନ୍ନ ସହରରେ ଗୁଳିଫୁଟା ଚାଲିଛି । ପେନ୍‌ସିଲଭାନିଆର ବେନସଲେମ ଅଂଚଳରେ ଜଣେ ନାବାଳିକାଙ୍କର ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତ ନାବାଳକର ନାମ ଜୋସୁଆ କୁପର ।

ଜରୁରୀ ସୂଚନା ନମ୍ବର ୯୧୧କୁ ଫୋନ୍‌ କରି ଜଣେ ଅଭିଭାବକ ନାବାଳିକାଙ୍କ ହତ୍ୟାକାଣ୍ଡ ବିଷୟ ଜଣାଇଥିଲେ । ଇନଷ୍ଟାଗ୍ରାମରେ ପ୍ରସାରିତ ଭିଡିଓଟିଲେ ହତ୍ୟାକାରୀ ନାବାଳକ ମୃତ ନାବାଳିକାଙ୍କର ପାଦଟିକୁ ଦେଖାଉଛି । ଝିଅଟି ରକ୍ତରେ ଜୁଡୁବୁଡୁ ହୋଇ ପଡ଼ିଛି । ଝିଅଟିର ପାଦକୁ ଦେଖାଇ ହତ୍ୟା ଅଭିଯୁକ୍ତ କହୁଛି, ଏ ମୃତଦେହକୁ କିପରି ଠିକଣା ସ୍ଥାନରେ ରଖିବି, ମୋତେ କୁହନ୍ତୁ । ପୁଲିସ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ଅଭିଯୁକ୍ତ ଖସି ପଳାଇଥିଲା । ପୁଲିସ ଦେଖିଲା, ଝିଅଟିର ନିସ୍ତେଜ ଶରୀର ବାଥ୍‌ ଟବ୍‌ରେ ପଡ଼ିଛି । ଅଭିଯୁକ୍ତ ଜଣକ ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରି ବିଫଳ ହୋଇଛି ।