ଶ୍ରଦ୍ଧା ହତ୍ୟାକାରୀ ଅଫତାବକୁ ହତ୍ୟା ଉଦ୍ୟମ

କାର ଭିତରୁ ଖଣ୍ଡା, ହାତୁଡ଼ି, ୱିକେଟ୍‌ ଜବତ

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଉପରେ ଆକ୍ରମଣ ଉଦ୍ୟମ କରାଯାଇଛି । ଦିଲ୍ଲୀର ରୋହିଣୀ ଇଲାକାରେ ଅଫତାବକୁ ଏଫ୍‌ ଏସ୍‌ ଏଲ୍‌ କାର୍ଯ୍ୟାଳୟରୁ ବାହାରେ ରଖାଯାଇଥିବା ଭ୍ୟାନରେ ବସାଇ ନିଆଯାଉଥିଲା । ସେହି ସମୟରେ ପୁଲିସ ଭ୍ୟାନ୍‌ ଆଗରେ ଗାଡ଼ି ରଖିଦେଇ ଆକ୍ରମଣକାରୀମାନେ ହାତରେ ଖଣ୍ଡା ଧରି ଅଫତାବ ଗାଡ଼ି ଆଡ଼କୁ ମାଡ଼ିଗଲେ । ଆକ୍ରମଣକାରୀଙ୍କ ହାତରେ ପାଂଚୋଟି ଖଣ୍ଡା ଥିଲା । କ’ଣ ଚାଲିଛି ବୋଲି ଦିଲ୍ଲୀ ପୁଲିସ ବୁଝିଲା ବେଳକୁ ୧୫ ମିନିଟ୍‌ ବିତିଗଲାଣି ।

ଅବଶ୍ୟ ପୁଲିସ ହାତରେ ଜଣେ ଆକ୍ରମଣକାରୀ ଧରାପଡ଼ିଛି । ଧରାପଡ଼ିଥିବା ଆକ୍ରମଣକାରୀ ନିଜକୁ ନିଗମ ଗୁର୍ଜର ପରିଚୟ ଦେଇ ପୁଲିସ ନିକଟରେ କହିଛି ଯେ ସେମାନେ ଅଫତାବକୁ ୭୦ ଖଣ୍ଡ କରି କାଟିବା ପାଇଁ ଆସିଥିଲେ । ଆକ୍ରମଣକାରୀଙ୍କ ଘର ଗୁରଗାଓଁରେ । ସୋମବାର ସକାଳେ ସେମାନେ ୧୫ ଜଣ ଦିଲ୍ଲୀରେ ପହଂଚି ସୁଯୋଗକୁ ଅପେକ୍ଷା କରିଥିଲେ ।

ନିଗମ କହିଲା, ସେ ଆମ ଭଉଣୀକୁ ୩୫ ଖଣ୍ଡ କରିଛି । ଆମେ ଅଫତାବକୁ ମାରି ପଳାଇବାକୁ ବସିଥିଲୁ । ମାତ୍ର ପୁଲିସ ଆମ ଯୋଜନାକୁ ପଣ୍ଡ କରିଦେଲା । ଆକ୍ରମଣକାରୀ ବ୍ୟବହାର କରିଥିବା ମାରୁତି ଜେନକୁ ପୁଲିସ ଜବତ କରିଛି । ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ କରିଛି । ଜବତ କାର ଭିତରୁ ୱିକେଟ୍‌, ଖଣ୍ଡା, ହାତୁଡ଼ି ଜବତ କରିଛି ପୁଲିସ ।