ନବୀନବାବୁଙ୍କ ତେଜ ସହିପାରୁନି ଏମ୍‌କେସିଜି ହସ୍ପିଟାଲ

୧୫୦ କୋଟି ଟଙ୍କାରେ ନିର୍ମିତ କୋଠା ଏବେ ବିପଦଗ୍ରସ୍ତ

ଉଭୟ ବିଜେପି-ବିଜେଡି ସମପରିମାଣରେ ଦାୟୀ

ବ୍ରହ୍ମପୁର: ଜୀବନବ୍ୟାପୀ ସାଧନା ସମ୍ମାନପ୍ରାପ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତେଜ ସହି ନପାରି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ନିର୍ମିତ ସୁପର ସ୍ପେଶାଲିଟି ବ୍ଲକ ଅନ୍ତର୍ଗତ ତୃତୀୟ ମହଲା ଛାତରୁ ସ୍ଲାବ ଖସିପଡ଼ିଛି । ବ୍ରହ୍ମପୁର ଜନତାଙ୍କ ଅତି ପ୍ରିୟ ହସ୍ପିଟାଲର ଏତାଦୃଶ ଅବସ୍ଥାକୁ ସାଧାରଣ ଜନତା ତୀବ୍ର ସମାଲୋଚନା କରିଛନ୍ତି । କେହିକେହି କହୁଛନ୍ତି, ନବୀନବାବୁଙ୍କ ଲୋକପ୍ରିୟତାରେ କଳଙ୍କ ଲଗାଇବା ପାଇଁ ବିରୋଧୀ ଦଳ ଏପରି ହୀନ ଚକ୍ରାନ୍ତ ରଚିଛି ।
ଶୁକ୍ରବାର ସୁପର ସ୍ପେଶାଲିଟି ବ୍ଲକର ତୃତୀୟ ମହଲାରେ ଏହି ଦୁର୍ଘଟଣା ଘଟିଥିଲା ବେଳେ ଗୁରୁବାର ସେହି ବିଲଡିଂର ପଂଚମ ମହଲାସ୍ଥିତ ଛାତରୁ ମଧ୍ୟ ସ୍ଲାବ ଖସିଥିଲା । ଉଭୟ ଦୁର୍ଘଟଣାରେ କୌଣସି ରୋଗୀ କି କର୍ମଚାରୀ କ୍ଷତିଗ୍ରସ୍ତ ହୋଇନାହାନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଏହି ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ବିପୁଳ ଟଙ୍କାରେ ନିର୍ମିତ ନୂତନ କୋଠାରେ ଘନଘନ ଦୁର୍ଘଟଣା ଘଟୁଛି । କେହିକେହି କହୁଛନ୍ତି, ନବୀନବାବୁଙ୍କ ଶକ୍ତିଶାଳୀ ତେଜ ପ୍ରଭାବରେ ଦୁର୍ବଳ ହୋଇଯାଇଛି ହସ୍ପିଟାଲ ନିର୍ମାଣରେ ବ୍ୟବହୃତ ଗୋଡି, ବାଲି, ସିମେଂଟ ଓ ଲୁହାରଡ୍‌ । ଧର୍ମପରାୟଣ ଲୋକମାନେ ଆଉ କିଛି ବାଟ ନପାଇ ଏମ୍‌କେସିଜି ହସ୍ପିଟାଲକୁ ରାହୁଗ୍ରାସ କରିଥିବା କହିଛନ୍ତି । ଅଗଷ୍ଟ ୨୬ ତାରିଖରେ ଏହି ବ୍ଲକରେ ଥିବା ୟୁରୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ଗତବର୍ଷ ଏହି ବ୍ଲକଟି କାର୍ଯ୍ୟକ୍ଷମ ହୋଇଥିଲା ।

ବିପୁଳ ଟଙ୍କା ବିନିମୟରେ ନିର୍ମିତ ଅଟ୍ଟାଳିକାରେ ନିମ୍ନମାନର କାମ ହୋଇଥିବା ଅଧିକାଂଶ ଲୋକ ଅଭିଯୋଗ କରୁଥିଲେ ମଧ୍ୟ ନବୀନବାବୁଙ୍କ ଘନିଷ୍ଠ ୫ ଟାଉଟରଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏପରି ବ୍ୟତିକ୍ରମ ଚାଲିଥିବା ସାଧାରଣରେ ଟାହି ଟାପରା କରୁଛନ୍ତି । ଅବଶ୍ୟ ଲୋକଙ୍କ ଟାହିଟାପରାକୁ ହଜମ କରିବାର କ୍ଷମତା କେବଳ ନବୀନବାବୁଙ୍କ ପାଖରେ ଅଛି; ସେଇଥିପାଇଁ ତ ସେ ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ତିଷ୍ଠି ରହିଛନ୍ତି ।