୨୩ ବର୍ଷ ଧରି ଶୋଇଥିଲା ଔଷଧ ନିର୍ଦ୍ଦେଶାଳୟ

ଶୁକ୍ରବାର ଉଠିଲା, ଘାଂଟିଲା ଔଷଧ ବଜାର

କଟକ ଓ ଭୁବନେଶ୍ୱର ନୁହଁ, ସାରା ଓଡିଶା ଘାଂଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ୨୩ ବର୍ଷ ଧରି ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ବସି ଦରମା ପାଉଥିବା ଔଷଧ ନିୟନ୍ତ୍ରଣ ଅଧିକାରୀମାନେ ଶୁକ୍ରବାର ବଜାରକୁ ଘାଂଟି ପକାଇଛନ୍ତି । ଔଷଧ ପ୍ରଶାସନ ହଠାତ୍‌ ଉଠିବାରୁ କଟକ ଓ ଭୁବନେଶ୍ୱରରେ ଖୋଲା ଯାଇଥିବା ହଜାର ହଜାର ଔଷଧ ଦୋକାନ ମାଲିକମାନେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି ।

ରକ୍ତଚାପ ରୋଗୀଙ୍କ କାମରେ ଲାଗୁଥିବା ଟେଲ୍‌ମା ୪୦ ମେଡିସିନ୍‌ସର ନକଲି ଟାବଲେଟ୍‌ ବଜାରରେ ମିଳୁଥିବାର ଅଭିଯୋଗ ପାଇବା ପରେ ସତେଜ ହୋଇଛି ଔଷଧ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ । ଭୁବନେଶ୍ୱରର ବହୁ ଔଷଧ ଦୋକାନ ଉପରେ ଚଢ଼ଉ କରି ଔଷଧ ନିର୍ଦ୍ଦେଶାଳୟର ଦକ୍ଷ ଅଧିକାରୀମାନେ ନକଲି ଔଷଧ ଜବତ କରିଛନ୍ତି । କେତେକ ଦୋକାନରୁ ଟେଲମା ୪୦ ଟାବଲେଟ୍‌ ନମୁନା ସଂଗ୍ରହ କରିଛନ୍ତି । ଔଷଧଗୁଡ଼ିକୁ ସିକିମସ୍ଥିତ ଗ୍ଲେନମାର୍କ ଫାର୍ମାସିଉଟିକାଲ୍ସ ତିଆରି କରିଛି ।
କେତେକ ରୋଗୀ ଉକ୍ତ ଔଷଧକୁ ବ୍ୟବହାର କରି କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଉପଭୋକ୍ତାଙ୍କ ସୂଚନା ମୁତାବକ ଉକ୍ତ ନକଲି ଟାବଲେଟ୍‌ ଅଗଷ୍ଟ ୨୩ ତାରିଖରେ ଓଡ଼ିଶା ବଜାରକୁ ଆସିଛି । ଉକ୍ତ ଔଷଧଗୁଡ଼ିକ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଇଛି । କିଛି ଉପଭୋକ୍ତା ଗ୍ଲେନମାର୍କ ନିକଟକୁ ଚିଠି ଲେଖି ବଜାରରେ ମିଳୁଥିବା ଔଷଧ ତାଙ୍କ କମ୍ପାନୀ ନିର୍ମିତ କି ନା’ ଜାଣିବାକୁ ଚାହିଁଥିଲେ ।
ଔଷଧ ନିର୍ଦ୍ଦେଶାଳୟର ଅଧିକାରୀମାନେ ଜବତ କରିଥିବା ଔଷଧକୁ ନକଲି ବୋଲି ଦୃଢ଼ତାର ସହ କହିନାହାନ୍ତି । ସେମାନେ କହିଛନ୍ତି, ଯେପର୍ଯ୍ୟନ୍ତ ନମୁନା ପରୀକ୍ଷଣ ରିପୋର୍ଟ ନପାଇଛନ୍ତି, ସେ ପର୍ଯ୍ୟନ୍ତ ଟାବଲେଟ୍‌ ନକଲି କହିବା ଗୁରୁତର ଅପରାଧ ହେବ ।
ଗୁରୁବାର କଟକର ପୁରୀଘାଟ ପୁଲିସ ଅନ୍ତର୍ଗତ ମଣିଘୋଷ ବଜାରରେ ଥିବା ଦୁଇଟି ଔଷଧ ଦୋକାନ ଉପରେ ଚଢ଼ଉ କରି ଔଷଧ ନିୟନ୍ତ୍ରଣ ଅଧିକାରୀମାନେ ନମୁନା ସଂଗ୍ରହ କରି ଲାବ୍‌କୁ ପଠାଇଛନ୍ତି ।