ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଓ ଆନ୍ତରିକତା ଅଭାବ କାରଣରୁ ୮୦ ରୁ ୯୦% ବର୍ଷା ଜଳ ବ୍ୟବହାର ଉପଯୋଗୀ ହୋଇନପାରି ସିଧାସଳଖ ସମୁଦ୍ରରେ ମିଶୁଛି

ଭୁବନେଶ୍ୱର : ଗ୍ରୀଷ୍ମ ରୁତୁ ଆରମ୍ଭରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବର୍ତମାନ ଜଳ ସମସ୍ୟା ଦେଖାଦେଉଛି । ରାଜ୍ୟର ସବୁ ନଦୀ, ନାଳ ଏକ ପ୍ରକାର ଶୁଷ୍କ ହେବାରୁ ଲୋକମାନେ ପିଇବା ପାଣି ଓ ଚାଷ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ନଦୀ, ନାଳ, କେନାଲରେ ପାଣିରସ୍ତର କମିବାରେ ଲାଗିଛି । ଚାଷ, ପିଇବା ପାଣି, ଜୀବଜନ୍ତୁ ଏବେ ପାଣି ପାଇଁ ହାହାକାର ଦେଖାଦେଉଛି । ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ୩୫% ଜମି ଜଳସେଚନ ନାଁରେ ବିଜେଡି ସରକାର ପ୍ରହେଳିକା କରିଆସୁଛନ୍ତି । ୨୦୦୩ରୁ ଫାଇଲ ଚାଷ ଆରମ୍ଭ କରି ୨୦୦୬ରେ ରାଜ୍ୟପାଳଙ୍କ ଭାଷଣରେ ପ୍ରତି ବ୍ଲକରେ ଅତି କମ୍‌ରେ ୩୫% ଜଳସେଚନ କଥା କହିଥିଲେ ନବୀନ ସରକାର । ଆଜି ୨୦୨୨ରେ ମଧ୍ୟ ରାଜ୍ୟରେ ଜଳସେଚନ କେବଳ କାଗଜ କଲମରେ ସେହି ୩୫%ରେ ଅଟକି ଯାଇଛି । ଏପରିକି କେତେ ଜମି ଜଳସେଚିତ ହୋଇଛି, ତାହାର ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ମୋଦି ସରକାର ଖୋଲା ହାତରେ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବା ସତ୍ୱେ ଚାଷୀବିରୋଧୀ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ରାଜ୍ୟରେ ଜଳସେଚନ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟ ସରକାର ବାଧକ ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି ।

କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଓଡିଶା ରାଜ୍ୟକୁ ଜଳ ସେଚନ ପ୍ରକଳ୍ପ ବାବଦରେ ୮୪୩କୋଟି ଟଙ୍କା ଦେଇଥିଲେ । କିନ୍ତୁ ଅପାରଗ ବିଜେଡି ସରକାର ଚାଷୀକୁଳର ସ୍ୱାର୍ଥ ପାଇଁ ଏହି ଟଙ୍କାକୁ ବିନିଯୋଗ କରିବାରେ ବିଫଳ କାରଣରୁ ଶେଷରେ ଟଙ୍କା ଫେରିଗଲା ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି । ରାଜ୍ୟ ସରକାରଙ୍କ ଅପରାଗତା ଓ ନିଷ୍କ୍ରିୟତା ଲାଗି ଜଳସେଚନ ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଅଯଥା ବିଳମ୍ବ କାରଣରୁ ପ୍ରସ୍ତାବିତ ପ୍ରକଳ୍ପଗୁଡିକର ମୂଲ୍ୟ ଅଯଥାରେ ବହୁ ଗୁଣା ବୃଦ୍ଧି ପାଇସାରିଛି । ଏହି ଅନାବଶ୍ୟକ ଆର୍ଥୀକ ବୋଝ ସାଧାରଣ ଓଡିଶାବାସୀଙ୍କ ଉପରେ ଲଦି ଦେଉଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଓ ଆନ୍ତରିକତା ଅଭାବ କାରଣରୁ ରାଜ୍ୟରେ ବର୍ଷାଜଳ ସଂରକ୍ଷଣ ହୋଇପାରୁନାହିଁ ଏବଂ ୮୦ ରୁ ୯୦% ବର୍ଷା ଜଳ ବ୍ୟବହାର ଉପଯୋଗୀ ହୋଇନପାରି ସିଧାସଳଖ ସମୁଦ୍ରରେ ମିଶୁଛି । ଛତିଶଗଡ଼ର କଲମା ବ୍ୟାରେଜ ଲାଗି ଓଡ଼ିଶାର ନଦୀରେ ଏବେ ପାଣି କମିବାରେ ଲାଗୁଛି । ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଂଗରୁ ଓଡ଼ିଶା ଦେଇ ପ୍ରବାହିତ ବିଭିନ୍ନ ନଦୀ ଜରିଆରେ ରାଜ୍ୟକୁ ୩୫.୫୬ଶହ କୋଟି ଘନମିଟର ଜଳ ପ୍ରବେଶ କରୁଛି । ମାତ୍ର ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ଜଳ ସଂରକ୍ଷଣ କାରଣରୁ ୨୦୨୫ବେଳକୁ ଏହି ପରିମାଣ ୨୫.୨୭ଶହ କୋଟି ଘନମିଟରକୁ ହ୍ରାସ ପାଇବାର ଆଶଂକା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସେଥିପ୍ରତି ଆଦୌ ଧ୍ୟାନ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତିା

କୃଷି କ୍ଷେତ୍ରରେ ୭୮% ବା ୧୦୩୬କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଜ୍ୟ ସରକାର ହରାଇଛନ୍ତି । ୨୦୨୧ ମସିହାରେ ଓଡ଼ିଶାର କୃଷକମାନଙ୍କ ପାଇଁ ୧୩୩୪କୋଟି ଟଙ୍କାର ବଜେଟ ବ୍ୟବସ୍ଥା ରହିଥିଲା । ୨୦୨୧ରେ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ୨୯୮କୋଟି ଟଙ୍କା କୃଷକ ଫଣ୍ଡକୁ ମିଳିଲା । ମାତ୍ର ରାଜ୍ୟସରକାରଙ୍କ ଅପାରଗତା କାରଣରୁ ବର୍ଷ ଶେଷ ସୁଦ୍ଧା ସମୁଦାୟ ଆର୍ଥିକ ଅନୁଦାନର ମାତ୍ର ୧୨ ପ୍ରତିଶତ ଖର୍ଚ୍ଚ ହୋଇଥିଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଜିଲ୍ଲାବାସୀଙ୍କ ଜୀବନରେଖା କୁହାଯାଉଥିବା ଜଗତସିଂହପୁର ଜିଲ୍ଲାରେ ମହାନଦୀ, ଦେବୀ, ଚିତ୍ରୋତ୍ପଳା ଓ ପାଇକା ନଦୀରେ ପାଣି ନାହିଁ । ଏହି ନଦୀ ଗୁଡ଼ିକ ପୋତି ହୋଇଯାଇ ଥିବାବେଳେ ଗ୍ରୀଷ୍ମ ଦିନରେ ଶୁଖି ଯାଉଛି । ରାଜ୍ୟ ସରକାର ଏହି ନଦୀଗୁଡ଼ିକ ଖୋଳିବା ସହ ନଦୀବନ୍ଧ ପାଇଁ ଆଦୌ ଧ୍ୟାନ ଦେଉନାହାନ୍ତି । ତାଳଦଣ୍ଡା କେନାଲ, ମାଛଗାଁରେ କେନାଲ ଅଛି କିନ୍ତୁ ପାଣିନାହିଁ । ୬ଟି ନଦୀ ଏବେ ମୃତବତ ରହିଥିବାବେଳେ ୪ଟି ମୃତ୍ୟୁ ଅପେକ୍ଷାରେ ରହିଛି । ହଂସୁଆ,ଧନୁଆ, ଗୋବରୀ ଓ ବୃଦ୍ଧାନଦୀର ମୃତ୍ୟୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସବୁ ଜାଣିବି ନଜାଣିଲା ପରି ଅଭିନୟ କରୁଛନ୍ତି । ଓଡ଼ିଶାର ସୁନାନଦୀ, ମଲଦା, ଜଳପା, ରାଣୀମା ଭଳି ଉପନଦୀ ବୈତରଣୀରେ ମିଶିଥିବାବେଳେ ତଳ ଭାଗରେ ପ୍ରାୟ ୨୦ରୁ ଊଦ୍ଧ୍ୱର୍ କଙ୍ଗିରା, ମାଛକାନ୍ଦଣା, ଅରଡେଇ, କାନଝରୀ, ସୀତା, କୁକୁରକଟା ଉପନଦୀର ରକ୍ଷଣା ବେକ୍ଷଣ ଅଭାବ ରହିଛି । ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନେଇ କେନ୍ଦ୍ରୀୟ ଅନୁଦାନକୁ ଫେରାଇ ଦେଉଛନ୍ତି । ଯେଉଁ ନଦୀରେ ସ୍ୱଳ୍ପ ଜଳ ରହୁଛି ତାହାକୁ ଶିଳ୍ପସଂସ୍ଥାମାନେ ନେଉଛନ୍ତି । ନଦୀରୁ ଶିଳ୍ପ ସଂସ୍ଥାମାନେ ମାର୍ଚ୍ଚ ମାସରେ ୭୨%, ଏପ୍ରିଲ ମାସରେ ୮୭%, ମଇ ମାସରେ ୪୯% ଶୋଷି ନେଇଛନ୍ତି । ଏହି ପାଣି ସମସ୍ୟା ପ୍ରତ୍ୟେକ ଜିଲ୍ଲାରେ ଦେଖାଦେଉଛି । ଦୟାନଦୀ କେନାଲ ପାଣି ଆସୁନାହିଁ । ଏହି ପାଣି ସମସ୍ୟାରୁ ବର୍ତିନାହାନ୍ତି ରାଜଧାନୀବାସୀ । ରାଜଧାନୀରେ ଦୟା ୱେଷ୍ଟ କେନାଲରେ ଆଜିକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ରାଜ୍ୟ ସରକାର କରୁନାହାନ୍ତି । ଏହି କେନାଲ ପାଣି ସମସ୍ୟା ପାଇଁ ଚାଷ ବନ୍ଦ ରହିବା ସହ କଳାଝରୀ, କାଳାରାହାଙ୍ଗ, ଇଞ୍ଜଣା, ପଟିଆ, ଭୋଟପଡ଼ା, ମଂଚେଶ୍ୱର, ଚକେଇସିଆଣି ଓ ପଳାଶୁଣି ଅଂଚଳରେ ପାଣି ସମସ୍ୟା ପ୍ରତ୍ୟେକ ବର୍ଷ ଦେଖାଦେଉଛି । ୫ବର୍ଷରୁ ଊଦ୍ଧ୍ୱର୍ ହେଲା କାନପୁର ଗେଟ ଖୋଲା ହୋଇନାହିଁ । ରାଜ୍ୟର ଏହି ପାଣି ସମସ୍ୟା ଦୂର କରିବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ବିଧାନସଭାରେ ବଜେଟ୍‌ ଅଧିବେଶନବେଳେ ରାଜ୍ୟର କୃଷିମନ୍ତ୍ରୀ ରାଜ୍ୟରେ ଚାଷର ଉନ୍ନତି ହୋଇଛି ବୋଲି ଡିଣ୍ଡିମ ପିଟୁଥିଲାବେଳେ ବାସ୍ତବରେ ଏହା ବିଧାନସଭାରେ ପ୍ରଶ୍ନର ଉତରରେ ସୀମିତ । ମା’, ମାଟି ଓ ଜଳ ପାଇଁ ବିଜେପି ସର୍ବଦା ଲଢେ଼ଇ କରୁଛିଓ ଭବିଷ୍ୟତରେ କରିବ । ଏଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଶାସକ ବିଜୁ ଜନତା ଦଳ କେବଳ ରାଜ୍ୟବାସୀଙ୍କୁ ପ୍ରତାରଣା କରି ଶସ୍ତା ରାଜନୀତି କରୁଛି । ଜନତାଙ୍କ ସୁରକ୍ଷା ଓ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି ସର୍ବଦା ଲଢେ଼ଇ ଜାରୀ ରଖିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।