ଅଦାଲତରେ ଗଡ଼ୁଛି ୧୪ଲକ୍ଷ ବିଚାରାଧୀନ ମାମଲା

କଟକ(ଏସ୍ ନ୍ୟୁଜ): ୨୦୨୦ ବର୍ଷ ମାର୍ଚ୍ଚ ମାସ ଠାରୁ କରୋନା ସଂକ୍ରମଣଜନିତ ସ୍ଥିତି ଯୋଗୁଁ ସାରା ରାଜ୍ୟରେ ନିମ୍ନ ଅଦାଲତ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ ଆରମ୍ଭରେ ସାରା ରାଜ୍ୟରେ ପ୍ରାୟ ୧୨ ଲକ୍ଷ ସାଢେ ୩୪ ହଜାର ମାମଲା ବିଚାରାଧୀନ ଥିବା ବେଳେ ଆଉ କିଛି ଦିନ ପରେ ମାମଲା ସଂଖ୍ୟା ୧୪ ଲକ୍ଷ ଛୁଇଁବ। ଗୁରୁବାର ସୁଦ୍ଧା ସମଗ୍ର ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୧୩ ଲକ୍ଷ ୯୨ ହଜାର ୨୮୦ ‌ରହିଛି। ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୨ ଲକ୍ଷ ୮୪ ହଜାର ୮୧୪ଟି ସିଭିଲ କେସ୍ ଓ ୧୧ ଲକ୍ଷ ୭ହଜାର ୪୬୬ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ୩୦ ବର୍ଷରୁ ଅଧିକ ସମୁଦାୟ ୫୩୦୮ ମାମଲା ବିଚାରଧିନ ରହିଛି। ସେଥିମଧ୍ୟରେ ୧୬୯୬ ସିଭିଲ ଓ ୩୬୧୨ କ୍ରିମିନାଲ କେସ୍ ଏବେ ବିଚାରାଧୀନ ରହିଛି। ୨୦ରୁ ୩୦ ବର୍ଷ ପୁରୁଣା ୩୬,୫୯୪ଟି ମାମଲା ଏବେ ବିଚାରାଧୀନ ଥିବା ବେଳେ ତା’ ମଧ୍ୟରେ ୪୨୪୦ଟି ସିଭିଲ କେସ୍, ୩୨,୩୫୪ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୧ ବର୍ଷ ମଧ୍ୟରେ ୧ ଲକ୍ଷ ୭୩ହଜାର ୬୪୦ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ମହିଳାଙ୍କ ଦ୍ବାରା ଦାୟର ହୋଇଥିବା ୮୦୦୭୦ମାମଲା ବିଚାରଧିନ ଥିବାବେଳେ ସେଥିରେ ୪୪୧୫୦ ସିଭିଲ ଓ ୩୫୯୨୦ କ୍ରିମିନାଲ କେସ୍ ବିଚାରଧିନ ରହିଛି। । ସବୁଠାରୁ ଆଗରେ ରହିଛି ‌ଖୋର୍ଦ୍ଧା ଜିଲା ଏହି ଜିଲାରେ ୧ ଲକ୍ଷ ୫୩ ହଜାର ୨୫୬ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲାରେ ଏବେ ୧ ଲକ୍ଷ ୨୪ ହଜାର ୬୩୪ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଜିଲାରେ ୧ ଲକ୍ଷ ୪ ହଜାର ୬୩୬ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି।