ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ରେ ୬ ପଜିଟିଭ୍ ଚିହ୍ନଟ-shaksi news

ନୂଆଦିଲ୍ଲୀ:ଭାରତରେ ଚିନ୍ତା ବଢ଼ାଇଛି କରୋନାର ନୂଆ ଷ୍ଟ୍ରେନ୍ । କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ୍‌ର ୬ ମାମଲା ସାମ୍ନାକୁ ଆସିଛି। ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରୁ ଫେରିଥିବା ୬ଜଣଙ୍କ ଭିତରେ କରୋନାର ନୂଆ ଷ୍ଟ୍ରେନର ଲକ୍ଷଣ ଦେଖାଦେଇଛି। ଏଥିରେ ବେଙ୍ଗାଲୁରୁର ସର୍ବାଧିକ ୩ଣଜ, ହାଇଦ୍ରାବାଦରୁ ୨ଜଣ ଏବଂ ପୁଣେରୁ ଜଣେ ଚିହ୍ନଟ ହୋଇଛନ୍ତି। ୟୁକେରୁ ଫେରିଥିବା ଲୋକଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା, ଯାହାର ରିପୋର୍ଟ ମଙ୍ଗଳବାର ଜାରି କରିଛନ୍ତି ଭାରତ ସରକାର ।

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ୟୁକେରୁ ପ୍ରାୟ ୩୩ହଜାର ଯାତ୍ରୀ ଫେରିଛନ୍ତି। ସମସ୍ତ ଫେରନ୍ତାଙ୍କୁ ଟ୍ରାକ୍ କରାଯାଇଛି ଏବଂ ସେମାନଙ୍କର ପରୀକ୍ଷା ମଧ୍ୟ କରାଯାଇଛି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଯାହା ପରେ ସମସ୍ତଙ୍କର ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବ (କୋଲକାତା, ଭୁବନେଶ୍ୱର, ଏନଆଇଭି ପୁଣେ, ସିସିଏସ ପୁଣେ, ସିସିଏଫଡି ହାଇଦ୍ରାବାଦ, InSTEM ହାଇଦ୍ରାବାଦ, NIMHANS ବେଙ୍ଗାଲୁରୁ, IGIB ଦିଲ୍ଲୀ, NCDC ଦିଲ୍ଲୀ)କୁ ପଠାଯାଇଥିଲା। ଏଥିରେ ମୋଟ ୬ଜଣଙ୍କର ସାମ୍ପୁଲ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି।

ତେବେ ଚିହ୍ନଟ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ସେଲଫ ଆଇସୋଲେସନ୍ ରୁମରେ ରଖାଯାଇଛି। ଏପରିକି ସେମାନଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି ।

କରୋନାର ଏହି ନୂଆ ଷ୍ଟ୍ରେନର ଆରମ୍ଭ ବ୍ରିଟେନରୁ ହୋଇଥିଲା। ଯାହା ପରେ ୟୁରୋପର କିଛି ଦେଶରେ ଏହି ଷ୍ଟ୍ରେନ୍ ଦେଖା ଦେଇଥିଲା। ମିଳିଥିବା ସୂଚନା ମୁତାବକ, ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜପାନ, ଲେବାନନ୍, ସିଙ୍ଗାପୁରରେ କରୋନାରେ ନୂଆ ଷ୍ଟ୍ରେନର ମାମଲା ଦେଖା ଦେଇଛି।