ରାଜ୍ୟରେ ୯୭ ଭାଗ ଖାକିପିନ୍ଧା ଚୋର

ନବୀନବାବୁଙ୍କୁ ସଚ୍ଚୋଟ କର୍ମଚାରୀ ଅଡୁଆ

ନେଇଆଣି ଥୋଇଜାଣିଲେ ଚୋରିବିଦ୍ୟା ଭଲ’, ଏହି ପାଠକୁ ମୁଖ୍ୟମନ୍ତ୍ରୀ…..

ଭୁବନେଶ୍ୱର: ‘ନେଇଆଣି ଥୋଇଜାଣିଲେ ଚୋରିବିଦ୍ୟା ଭଲ’, ଏହି ପାଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ୨୩ ବର୍ଷ ଧରି ରାଜ୍ୟ କର୍ମଚାରୀଙ୍କୁ ପଢ଼ାଇ ଆସୁଛନ୍ତି । ଏତେ ପଢ଼ାଇଲା ପରେ ଯଦି କୋଉ କର୍ମଚାରୀଙ୍କୁ ଭିଜିଲାନ୍ସ ଟିମ୍‌ ଧରି ପକାଇଲା; ତା’ହେଲେ ସେଭଳି କର୍ମଚାରୀ ନବୀନବାବୁଙ୍କ ଅଧୀନରେ କାମ କରିବା ପାଇଁ ସଂପୂର୍ଣ୍ଣ ଅଯୋଗ୍ୟ ବୋଲି ଧରି ନିଆଯିବ । ମୁଖ୍ୟତଃ ପୁଲିସ ବିଭାଗର କୌଣସି କର୍ମଚାରୀଙ୍କୁ ଭିଜିଲାନ୍ସ ଟିମ୍‌ ଧରିବା ଅତ୍ୟନ୍ତ ପରିତାପର ବିଷୟ । ନବୀନବାବୁଙ୍କ ଅମଳରେ ସଚ୍ଚୋଟ ପୁଲିସଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାକୁ ଲାଗିଛି । ମଙ୍ଗଳବାର ଇନ୍ସପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ପାଇଥିବା ପୁଲିସ ଅଧିକାରୀ ଅଭିନବ ଡାଳୁଆ ୩୦ ହଜାର ଟଙ୍କା ଲାଂଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି । ନିଜକୁ ଦୋଷମୁକ୍ତ ଦାବି କରି ବାବୁ ଅଭିନବ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ତାଙ୍କୁ ଫସାଇ ଦିଆଯାଇଛି । କେମିତି କିଏ କୋଉଠି ଫସାଇଲା; ବାବୁ ଅଭିନବ ଜାଣିପାରିଲେନି । ରାଜ୍ୟର ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ଅଭିନବ ଡାଳୁଆ ଜଣାଶୁଣା । ତାଙ୍କୁ ପୁଣି ଫସାଇବାକୁ କୋଉ ଲୋକର ସାହସ ଅଛି? ଆଚ୍ଛା, ଧରିନିଆଯାଉ, ବାବୁଙ୍କୁ ଫସାଇ ଦିଆଯାଇଛି । ତେବେ ଯୋଉ ହାତଟା ୩୦ ହଜାର ଟଙ୍କା ଗ୍ରହଣ କଲା; ସେ ହାତଟା ବାବୁ ଅଭିନବଙ୍କର ନା’ ତାଙ୍କ ଚରିତ୍ରରେ ଅଭିନୟ କରୁଥିବା କୋଉ ଅଭିନେତାର । ବାବୁ ଅଭିନବ ଉପରକୁ ବେଶ କଡ଼ା ମିଞ୍ଜାସର; ମାତ୍ର କଡ଼ା ମିଞ୍ଜାସ ଆଳରେ ବୁଡ଼ିବୁଡ଼ି ଗଡ଼ିଶା, ଶାମୁକା ଖାଇବା ତାଙ୍କର ଆଉ ଗୋଟେ ପାରିବାପଣିଆ ।

ରାଜ୍ୟ ପୁଲିସରେ କେବଳ ଗୋଟିଏ ଅଭିନବ ଡାଳୁଆ ନାହାନ୍ତି । ୯୭ ଭାଗ ଅଭିନବ ଡାଳୁଆ ଅଛନ୍ତି । ଯୋଉ ଅଫିସର ଯେତେ କଡ଼ା; ସେ ଅଫିସର ସେତିକି ଲାଂଚୁଆ ବୋଲି ଜାଣିବ ।
ସତକଥା କହିଲେ, ଯୋଉଦିନଠାରୁ ସ୍ୱରାଷ୍ଟ୍ର ବିଭାଗଟା ନବୀନବାବୁଙ୍କ ଅଧୀନକୁ ଚାଲିଯାଇଛି । ସେହିଦିନଠାରୁ ପୁଲିସ ବିଭାଗରେ ଲାଂଚୁଆ ପୁଲିସ ଅଧିକାରୀଙ୍କ ସଂଖ୍ୟା ଚନ୍ଦ୍ରକଳା ପରି ବଢ଼ିଚାଲିଛି । କାରଣ ନବୀନବାବୁଙ୍କ ଅମଳରେ ସଚ୍ଚୋଟ ପୁଲିସକୁ ପଦୋନ୍ନତି ମିଳିବା କଷ୍ଟ । ସଚ୍ଚୋଟ ପୁଲିସକୁ ପୁରସ୍କାର ମିଳିବା କଷ୍ଟ । ଖାଲି ପୁଲିସ କାହିଁକି; ରାଜ୍ୟ ସରକାରରେ ସଚ୍ଚୋଟ କର୍ମଚାରୀଙ୍କ ସଂଖ୍ୟା କମିବାକୁ ଲାଗିଛି । ୟା’ର ଅର୍ଥ ସଚ୍ଚୋଟ କର୍ମଚାରୀମାନେ ଖୁବ ଶୀଘ୍ର ପଦୋନ୍ନତି ପାଇବା ଲକ୍ଷ୍ୟରେ ସଚ୍ଚୋଟତାକୁ ଛାଡ଼ି ଦେଉଛନ୍ତି ।

ସମାଜକୁ ସୁଧାରିବା ପାଇଁ ଓ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରିଛନ୍ତି କି ବିପୁଳ ପରିମାଣର ଲାଂଚ ନେଇ ବିଜେଡି ପାଣ୍ଠିକୁ ଅଧିକରୁ ଅଧିକ ଟଙ୍କା ଯୋଗାଇବା ପାଇଁ ପୁଲିସକୁ ଅଧିକ କ୍ଷମତା ଦିଆଯାଇଛି; ସେ କଥାର ସଠିକ୍‌ ଜବାବ କେବଳ ମୁଖ୍ୟମନ୍ତ୍ରୀ ହିଁ ଦେଇପାରିବେ ।

ସାଧାରଣତଃ ପୁଲିସ ବିଭାଗରେ ଚାକିରି ଗୋଟିଏ ଚାଲେଞ୍ଜ ବୋଲି କୁହାଯାଏ । ପାଠଶାଠ, ସୁଗଠିତ ଶରୀର ଓ ପ୍ରଖର ବୁଦ୍ଧି ସମ୍ପନ୍ନ ଯୁବକ ଯୁବତୀଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ମିଳିଥାଏ । ଡାଳେଡାଳେ ଯାଉଥିବା ଚୋରକୁ ଧରିବା ପାଇଁ ହେଲେ, ପତରେ ପତରେ ଚାଲି ଜାଣିଥିବା ପୁଲିସ ନିଯୁକ୍ତି ପାଇବା ଦରକାର । ମାତ୍ର ପତରେ ପତରେ ଯାଇ ଚୋରକୁ ଧରିବା ଓ ଲାଂଚ ନେଇ ଛାଡ଼ିଦେବା ପୁଲିସ କର୍ମଚାରୀ ବିଭାଗ ପାଇଁ କଳଙ୍କ ନା ପ୍ରଶଂସାର ପାତ୍ର; ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁହନ୍ତୁ ।