ଶିଷ୍ୟ କେଜ୍ରିୱାଲଙ୍କୁ ଚିଠି: ‘ବାଟ ହୁଡ଼ିଗଲ ବାବୁ’

କଥା ଆଉ କାମରେ ତାଳମେଳ ରହୁନି..

ନୂଆଦିଲ୍ଲୀ: ଯେଉଁ ଲକ୍ଷ୍ୟ ରଖି ଗୁରୁ ଆନ୍ନା ହଜାରେ ଓ ଶିଷ୍ୟ ଅରବିନ୍ଦ କେଜ୍ରିୱାଲ ହାତ ଧରି ବାଟ ଚାଲିଥିଲେ; ତାହା ଏବେ ମାଟିରେ ମିଶିଯାଇଛି ବୋଲି ଶିଷ୍ୟଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଗୁରୁ ଉଲ୍ଲେଖ କରିଛନ୍ତି । ଆନ୍ନାଙ୍କ ଲୋକପାଳ ଆନ୍ଦୋଳନ ଗରିବଙ୍କୁ ନ୍ୟାୟ ପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ଆନ୍ନାଙ୍କ କଡ଼ରେ ବସି ରାଜନୈତିକ ଭବିଷ୍ୟତ ଗଢ଼ିବାର ଯୋଜନା ପ୍ରସ୍ତୁତ କରିଥିଲେ ଅରବିନ୍ଦ କେଜ୍ରିୱାଲ । ଆନ୍ନାଙ୍କୁ ଆଡେ଼ଇ ମନିଷ ସିସୋଦିୟାଙ୍କ ସହିତ ମିଶି ଆମ୍‌ ଆଦ୍‌ମୀ ପାର୍ଟି ଗଠନ କଲେ କେଜ୍ରିୱାଲ । ଶିଷ୍ୟଙ୍କ ରାଜନୈତିକ ଅଭିଳାଷକୁ ତିଳେ ମାତ୍ର ଆକ୍ଷେପ ନକରି ଗୁରୁ ଚୁପଚାପ ମହାରାଷ୍ଟ୍ର ଫେରିଗଲେ ।

କେଜ୍ରିୱାଲଙ୍କ ଶାସନକୁ ଆନ୍ନା ଦୂରରୁ ଦେଖୁଛନ୍ତି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ଦେଖି ଆନ୍ନା ଆଉ ନିରବ ରହିପାରିଲେନି । କେଜ୍ରିୱାଲଙ୍କ ନିକଟକୁ ଚିଠି ଲେଖି ଛାତିତଳର ବ୍ୟଥା ଜଣାଇଛନ୍ତି । ଆନ୍ନା କେଜ୍ରିୱାଲଙ୍କ ଅବକାରୀ ନୀତିକୁ ପସନ୍ଦ କରିନାହାନ୍ତି । କେଜ୍ରିୱାଲଙ୍କ କଥା ଓ କାମ ଭିତରେ ସମାନତା ରହୁ ନଥିବାର ଆନ୍ନା ଲେଖିଛନ୍ତି ।

ଆନ୍ନାଙ୍କ ଚିଠିର ପ୍ରତିଟି ଶବ୍ଦ ସତ । କୁହାଯାଏ, କ୍ଷମତା ଉପଭୋଗର ଲାଳସା ସଚ୍ଚୋଟ ଲୋକକୁ କୁପଥକୁ ବାଟ କଢ଼ାଇନିଏ । କେଜ୍ରିୱାଲଙ୍କ କ୍ଷେତ୍ରରେ ସେଇଆ ଘଟିଛି । ଶକ୍ତିଶାଳୀ ଦଳକୁ ନିର୍ବାଚନରେ ପରାସ୍ତ କରି ରାଜ୍ୟ ଦଖଲ କରିବା ପାଇଁ ବିପୁଳ ଟଙ୍କା ଦରକାର । ଆପ୍‌କୁ ଜାତୀୟ ସ୍ତରରେ ଅନ୍ୟ ଏକ ଶକ୍ତିଶାଳୀ ଦଳ ରୂପେ ଗଢ଼ି ତୋଳିବା ପାଇଁ କେଜ୍ରିୱାଲ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସମୟ ସୁଅରେ ଦଳର ନୀତିକୁ ବଦଳାଉଛନ୍ତି କେଜ୍ରିୱାଲ ।

ଆନ୍ନାଙ୍କ ମହାନ୍‌ ଉଦ୍ଦେଶ୍ୟ ଅଧୁରା ରହିଗଲା । ମାତ୍ର କଂଗ୍ରେସ, ବିଜେପି ଭଳି ଦେଶକୁ ଆଉ ଗୋଟିଏ ଜାତୀୟ ଦଳ ଦେବାର ଅଭିଳାଷ ମନ୍ଦ ନୁହେଁ । ହୁଏତ ସାରାଦେଶକୁ ଶାସନ କରିବାର କ୍ଷମତା ଆପ୍‌କୁ ମିଳିବା ପରେ ଆନ୍ନାଙ୍କ ଆନ୍ଦୋଳନକୁ ସାକାର କରିପାରନ୍ତି କେଜ୍ରିୱାଲ । ଦିନେ କେଜ୍ରିୱାଲଙ୍କୁ ‘କ୍ଲିନ୍‌ ମ୍ୟାନ୍‌’ ବା ‘ଦାଗହୀନ ମଣିଷ’ ମଣିଷ କହିଥିଲେ ସମାଜସେବୀ ଆନ୍ନା ହଜାରେ । ମାତ୍ର ଆଜି କେଜ୍ରିୱାଲଙ୍କ ଭିତରେ ଥିବା ବହୁତ ଅଳିଆକୁ ଦେଖିପାରୁଛନ୍ତି ଆନ୍ନା ।