ହୁରି ପକାଇଲା ସନିଆ, ‘କାଳିଆ ଆସିଲା ଭାଇ’

କାନ୍ଦୁଥା ଯାହା ପାଉଛୁ ବାନ୍ଧୁଥା: ଘନିଆ

ନିଆଳି: ଟିିଭି ପରଦାରେ ଚାଷୀଙ୍କୁ କାଳିଆ ଟଙ୍କା ମିଳିବାର ଘୋଷଣା ଶୁଣିବା ପରେ ନିଆଳି ଅନ୍ତର୍ଗତ ତାମ୍ପଡ଼ା ଗ୍ରାମର ନିବାସୀ କୈଳାସ ବଡ଼ପାଟିରେ ତା’ ଭାଇକୁ ‘କାଳିଆ ଆସିଲା ଭାଇ’ । ପୁଣି ମିଳିବ ଦୁଇ ହଜାର ଟଙ୍କା । ଏ କଥା ଶୁଣିବା ପରେ ମୋ ମନଟା ପାଣିଚିଆ ହୋଇଗଲା । ମନେପଡ଼ିଗଲା, ନଅ’ଙ୍କ ଦୁର୍ଭିକ୍ଷ ସମୟର ଗୋଟିଏ ସତ ଘଟଣା ଯାହା ପଢ଼ିଥିଲି ଅଷ୍ଟମ ଶ୍ରେଣୀରେ ।

ଘଟଣାଟି ହେଉଛି, ନଅ’ଙ୍କ ଦୁର୍ଭିକ୍ଷ ଅମଳରେ ତକ୍ରାଳୀନ ଇଂରେଜ ସରକାର ଗାଁରେ ଗାଁରେ କାଙ୍ଗାଳି ଭୋଜନ ଶିବିର ଖୋଲିଥିଲେ । ସେହି ଶିବିର ଆଗରେ ଲମ୍ବାଧାଡ଼ିରେ ଠିଆ ହୋଇଥିଲେ କଙ୍କାଳସାର ଛୋଟପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ । ସମସ୍ତଙ୍କ ମନରେ ଇଂରେଜ ସରକାରଙ୍କ ଶିବିରରୁ ରନ୍ଧାଖାଦ୍ୟ ପାଇବାର ଆଶା । ଠିକ୍‌ ସମୟରେ ରନ୍ଧା ଖାଦ୍ୟ ପରସା ହେଲା । ପିଲାଠାରୁ ବୁଢ଼ାବୁଢ଼ୀ ଯାଏ ସମସ୍ତଙ୍କ ଥାଳିରେ ଭାତ ଓ ଡାଲମା । ବେଶ କିଛି ମାସ ଧରି ଗଛ ପତର ଖାଇ ଜୀବନ ବିତାଇଥିବା ମଣିଷଗୁଡ଼ାକ ଥାଳିରେ ଭାତ, ଡାଲମା ପାଇ ଚଟାପଟ୍‌ ଖାଇ ପକାଉଥିଲେ ।

ଶିବିରଠାରୁ ୨୦ ହାତ ଦୂରରେ ଗୋଟିଏ ଗଛମୂଳେ ବସିଥାଏ ଗୋଟିଏ ଭିକାରୀ । କୋଟରଗତ ଆଖିରେ ଲକ୍ଷ୍ୟ କରୁଥାଏ କାଙ୍ଗାଳି ଭୋଜନ ଖାଉଥିବା ଲୋକଙ୍କ ମୁହଁକୁ । ଜଣେ ଗ୍ରାମବାସୀ ହାତରେ ଥାଳି ଓ ଗିନାଟିଏ ଧରି ଶିବିର ଆଡ଼କୁ ଯାଉଯାଉ ଭିକାରୀକୁ ଦେଖି କହିଲା, ‘ଓ ଭଗିଆ ଭାଇ, ଆରେ ବସିଛୁ କ’ଣ? ଆ ଚାଲି ଆ, ଗୋରା ସରକାର ମାଗଣା ଭାତ, ଡାଲମା ଦଉଛନ୍ତି । ପେଟପୁରା ଗଣ୍ଡେ ଖାଇଦେ ।’

ଲୋକଟି ମୁହଁକୁ ତରାଟି ଚାହିଁଲା ଭିକାରୀଟି । ଘଡ଼ିଏ କାଳ ଚାହିଁଲା ପରେ ଶୁଖିଲା ଓଠଟାକୁ ଫିଟାଇଲା ବେଳକୁ ସେ ଲୋକଟି ବେଶ କିଛି ବାଟ ଚାଲିଗଲାଣି । ମନକଥା ମନରେ ରଖି ଭିକାରୀଟି ସେଇଠି ସେଇମିତି ବସିରହିଲା । ଶିବିରକୁ ଗଲାନି କି ଥାଳି ପତାଇ ଭାତ, ଡାଲମା ଆଣିଲାନି ।

କେଜାଣି କାହିଁକି ଭିକାରୀଟି ଉପରେ ନଜର ପଡ଼ିଗଲା ଗୋରା ସରକାରଙ୍କ ପାଖରେ କାମ କରୁଥିବା ଜଣେ ପାଠ ପଢୁଆ ଭାରତୀୟ ଯୁବକଙ୍କର । ଯୁବକଜଣକ ବେଶ ସଫା ପୋଷାକ ପିନ୍ଧିଛନ୍ତି । ଗୋରା ସରକାର ପଠାଇଥିବା କାଙ୍ଗାଳି ଭୋଜନ ତଦାରଖ ଦାୟିତ୍ୱରେ ଉକ୍ତ ଯୁବକ ଜଣକ ଅଛନ୍ତି । ଯୁବକଟି ଭିକାରୀ ନିକଟକୁ ଆସିଲେ, କହିଲେ, ‘ତମର କ’ଣ ଭାତ, ଡାଲମା ଦରକାର ନାହିଁ ।’
ଭିକାରୀଟିର ମନରେ କାହିଁ କେତେ ସମୟରୁ ରାଗ ଅଭିମାନ ଠୁଳ ହୋଇ ରହିଥିଲା । ଯୁବକଙ୍କ ପ୍ରଶ୍ନ ଶୁଣିବା କ୍ଷଣି କହି ପକାଇଲା, ବାବୁ, ମରିଯିବି ପଛେ, ଗୋରା ସରକାରଙ୍କ ହାତଟେକା ଭାତ, ଡାଲମା ଆଗରେ ମୋର ସ୍ୱାଭିମାନକୁ ବଳି ପକାଇବିନି ।
ଭିକାରୀଟିର ସେଇ କଥାଟି ଯୁବକଙ୍କ ମନକୁ ପ୍ରଭାବିତ କଲା । ସେ ଚୁପଚାପ ଫେରିଗଲେ ଶିବିର ନିକଟକୁ । ତା’ ପରକଥା ଏଠି ଲେଖିବା ଅନାବଶ୍ୟକ ।

କଥା ହେଉଛି, କାଳିଆ ଟଙ୍କାକୁ ନେଇ ଆମ ଚାଷୀମାନଙ୍କ ମନରେ ଦେଖା ଦେଇଥିବା ଉତ୍ସାହ । ନବୀନବାବୁଙ୍କ ଚାଷୀ ଓ ଚାଷ ପ୍ରୀତିକୁ ରାଜ୍ୟର ଚାଷୀକୁଳ ଭଲ ଭାବରେ ଜାଣନ୍ତି । ବର୍ଷା, ବନ୍ୟା, ବାତ୍ୟା, ମରୁଡ଼ି ଓଡ଼ିଶାର ଚିର ସହଚର । ତା’ ଭିତରେ ଚାଷ ଓ ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା । ସରକାରଙ୍କ ଚାଷନୀତିରେ ଚାଷୀ ଓ ଚାଷ ଦିନକୁ ଦିନ ଡୁବିବାକୁ ବସିଲାଣି । ତା’ର ସ୍ଥାୟୀ ନିରାକରଣ ପ୍ରତି ଆମ ଚାଷୀକୁଳ ଏକଜୁଟ ହୋଇ ସରକାରଙ୍କ ଉପରେ ଚାପ ପକାଉନାହାନ୍ତି ।
ପାନ, ମୀନ ଓ ଧାନ ହେଉଛି ଓଡ଼ିଶା ମୂଳ ଉତ୍ପାଦନ । ପାନକୁ ଏ ପର୍ଯ୍ୟନ୍ତ ସରକାର ‘ଚାଷ’ ଭିତରେ ଗଣୁନାହାନ୍ତି । ‘ମୀନ’ ଓ ‘ଧାନ’ କଥା ନକହିବା ଭଲ । ଅନ୍ୟ ରାଜ୍ୟରୁ ଧାନ ଓ ମୀନ ଆସିଲେ, ଆମ ଗାଁ ଓ ସହର ବଜାର ହସିବ । ନିକଟ ଅତୀତରେ ନବୀନବାବୁଙ୍କ ଆଳୁ ମିଶନ ଚୁଲିକୁ ଗଲା । ପଣସ ମିଶନ ଓ ଡାଲି ମିଶନ ମଧ୍ୟ ଚୁଲିକୁ ଗଲାଣି । ଚାଷ ଯାଉ ଚୁଲିକୁ; ଆମ ଚାଷୀଭାଇ ନବୀନବାବୁଙ୍କ ହାତଟେକା ପାଇ ଖୁସ୍‌ ।