ବାଣ ତିଆରି କରୁକରୁ ଉଡ଼ିଗଲେ ବାଣୁଆ

ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ନିକଟରେ …..

ବାଲିକୁଦା: ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ନିକଟରେ ବାଣ କାରଖାନା ଫୁଟିଲା ଫଳରେ ଦୁଇଜଣ ବାଣୁଆଙ୍କ ଜୀବନ ଚାଲିଯାଇଛି ଓ ମୃତ୍ୟୁ ସହ ଲଢୁଛନ୍ତି ଦୁଇଜଣ । ଦିନ ପ୍ରାୟ ସାଢେ଼ ଗୋଟାଏ ବେଳେ ଇଚ୍ଛାପୁର ଓ ତା’ର ଆଖପାଖ ଅଂଚଳ ଥରି ଉଠିଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି କିଛି ଲୋକ ସିଲିଣ୍ଡର ଫାଟିବା କଥା ଭାବିଥିଲେ । ମାତ୍ର ଦେଖୁଦେଖୁ ପ୍ରଶାନ୍ତ ପୃଷ୍ଟିଙ୍କ ବାଣ କାରଖାନାଟି ବିସ୍ଫୋରଣର ଶିକାର ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଜଣେ ଶୂନ୍ୟେ ଶୂନ୍ୟେ ଉଡ଼ିଯାଇ ପୋଖରୀରେ ପଡ଼ିଥିଲା । ଧ୍ୱଂସପ୍ରାୟ ଘର ଭିତରେ ପଡ଼ି ରହିଥିବା ତିନିଜଣଙ୍କ ଭିତରୁ ଜଣକର ବାମଜଂଘ ଶରୀରରୁ ଅଲଗା ହୋଇଯାଇଥିଲା । ଶରୀରରୁ ମାଂସ ଓ ଅଙ୍ଗପ୍ରତ୍ୟଙ୍ଗ ଠା’ ଠା’ କରି ପଡ଼ିଥିଲା । ଆଜବେଷ୍ଟସ ଉଡ଼ି ଯାଇଥିଲା ୨୦୦ ମିଟର ଦୂରକୁ ।

ବେଆଇନ ବାଣ କାରଖାନା ସଂପର୍କରେ ପ୍ରଶାସନ ପାଖରେ ଖବର ଥିଲା କି ନା’, ତାହା ସ୍ପଷ୍ଟ ହୋଇନି । ପ୍ରଶାସନ ପକ୍ଷରୁ ବାଣ କାରଖାନାକୁ ସିଲ୍‌ କରି ଦିଆଯାଇଛି । ପୁଲିସ ମାମଲାର ତଦନ୍ତ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ବିସ୍ଫୋରଣ ସମୟରେ ୫୦ ମିଟର ଉଚ୍ଚର ଧୂଅାଁ ଉଠିଥିଲା । ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ପ୍ରବଳ ଧୂଅାଁ ବାହାରିଥିଲା । ଅଗ୍ନିଶମବାହିନୀ, ପୁଲିସ, ଆମ୍ବୁଲାନ୍ସ, ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ନିଅାଁ ନିୟନ୍ତ୍ରଣାଧୀନ ହେବାପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା । ନିହତଙ୍କ ଭିତରୁ ଜଣେ ଇଚ୍ଛାପୁର ବଡ଼ାଘର ଅଂଚଳର ଦିଲୀପ ମହାନ୍ତି (୪୬) ଓ ଗୋପାଳପୁର ଅଂଚଳର ବୁଲୁ ଦାସ (୪୫) । ଡାକ୍ତରଖାନାରେ ଚିକିତ୍ସାଧୀନ ଦୁଇଜଣଙ୍କ ଭିତରୁ ଜଣେ ବାଣ କାରଖାନା ମାଲିକ ପ୍ରଶାନ୍ତ ପୃଷ୍ଟି ଓ ବାଣ କାରିଗର ଦୀନବନ୍ଧୁ ଦାସ ।