ପୁଲିସ ଜାଗାରେ ଆଉ କେହି ଗୁଳି କରିଥିଲେ କ’ଣ କରିଥାନ୍ତେ ନବଦାସଙ୍କ ପୁଅ

‘ସଳା, ବାପାଙ୍କୁ ମାରି ଜେଲରେ ପୁଲିସ ହେପାଜତରେ …..

ଝାରସୁଗୁଡ଼ା: ‘ସଳା, ବାପାଙ୍କୁ ମାରି ଜେଲରେ ପୁଲିସ ହେପାଜତରେ ରହିଛି । କେତେଦିନ ରହିବ, ଦିନେ ନା ଦିନେ ବାହାରିବ । ପଏଂଟ ବ୍ଲାଙ୍କରେ ଗୁଳି କରିବି; ଦେଖିବି କିଏ ରଖିବ ।’ ଏମିତି କଥାଗୁଡ଼ାକ ଶୁଣିବାକୁ ମିଳିଥିଲା ବିଶାଲଙ୍କ ମୁହଁରୁ । ବିଶାଲ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ । ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ନିକଟରେ ଗୋଟିଏ ଥଣ୍ଡାପାନୀୟ ଦୋକାନ ଆଗରେ ସାଙ୍ଗସହ କଥା ହେବା ସମୟରେ ଏମିତି କଥାଗୁଡ଼ାକ ତାଙ୍କ ପାଟିରୁ ଖସୁଥିଲା ।

ସେ ପୁଣି କହୁଥିଲେ, ‘କୋଉ ଗୋଟାଏ ଓକିଲ ପାଖରେ ବାପାଙ୍କର କିଛି କାଗଜପତ୍ର ରହିଛି । ସେଥିରେ ବାପାଙ୍କୁ ମାରିବା ପାଇଁ ଉପର ମହଲରେ ହତ୍ୟା ଷଡ଼ଯନ୍ତ୍ର ଚାଲିଛି ବୋଲି ବାପା ଖୋଦ ଲେଖିଛନ୍ତି । ସେ ସଳା ଓକିଲ ବି ମୋ ପାଖକୁ ଆସୁନି । କ’ଣ ପାଇଁ ଆସୁନି । ମୁଁ ବୁଝିପାରୁନି । କ’ଣ ପାଇଁ ବାପା ତାକୁ ଗୁପ୍ତ କାଗଜପତ୍ର ଦେଇଥିଲେ? ବୁଝିପାରୁନି । ସବୁକଥା ଭାବିଲା ବେଳକୁ ବିରାଟ ଚକ୍ରବ୍ୟୁହ ଲାଗୁଛି ।’

ବିଶାଲଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସେ ସରକାରଙ୍କ ତଦନ୍ତରେ ଖୁସି ନାହାନ୍ତି । ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇ ପାରୁନାହାନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ କରି ପାରୁନାହାନ୍ତି । ପରିବାର ଭିତରୁ ଜଣକୁ ବିଧାୟକ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ବିଶାଳ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି ।