ଦିଲ୍ଲୀର ଇସ୍ରାଏଲ୍‌ ଦୂତବାସ ନିକଟରେ ବିସ୍ଫୋରଣ, ଜଣେ ଆହତ

ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତବାସ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆହତ ହୋଇଥିବା ସୂଚନା ରହିଛି।ଦୂତାବାସ ବାହାରେ ଥିବା ପକ୍କାଘର ନିକଟରେ ଏହି ବିସ୍ଫୋରଣ ଘଟି ସେଠାରେ ପାର୍କିଂ ହୋଇଥିବା ପ୍ରାୟ ୪-୫ଟି କାର୍‌ର ୱିଣ୍ଡସ୍କ୍ରିନ ନଷ୍ଟ ହୋଇଯାଇଛି ବୋଲି ଦିଲ୍ଳୀ ପୁଲିସ୍ ସୂଚନା ଦେଇଛି। ଦିଲ୍ଲୀ ପୁଲିସ୍‌ ଏ ନେଇ ସୂଚନା ଦେଇ ବିସ୍ଫୋରଣ ଘଟିଥିବା କଥା ନିଶ୍ଚିତ କରିଛି ଓ ଏହା ଏକ ଛୋଟଧରଣର ବିସ୍ଫୋରଣ ବୋଲି କହିଛି । ଘଟଣାସ୍ଥଳରେ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ର ଏକ ଦଳ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଛନ୍ତି। ଇସ୍ରାଏଲ୍ ଦୂତାବାସ ଥିବା ଏପିଜେ ଅବ୍ଦୁଲ କାଲାମ୍ ମାର୍ଗ କଡା ସୁରକ୍ଷା ବଳୟ ଥିବା ଏକ ଅଂଚଳ ହୋଇଥିବା ବେଳେ ସେଠାରେ ବିସ୍ଫୋରଣ ଘଟିବା ପୁଲିସ ଲାଗି ଚିନ୍ତାର ବିଷୟ ହୋଇଛି।