ଦନ୍ତାହାତୀ ଆକ୍ରମଣରେ ୨ ମହିଳା ମୃତ

ଅନୁଗୁଳ: ଦୁଇ ଜଣ ମହିଳାଙ୍କୁ ଦଳି ମାରିଲା ଦନ୍ତାହାତୀ। ଅନୁଗୁଳ ବନଖଣ୍ଡ ବଡ଼କଣ୍ଟକୂଳ ଗାଁରେ ଘଟିଛି ଏହି ଘଟଣା। ଘର ପାଖ ଆମ୍ବ ବଗିଚାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।
ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳ ବଡ଼କନ୍ତକୁଳ ଗ୍ରାମର ମୁଳି ପ୍ରଧାନ(୫୦) ଓ ଗୌରୀ ରାଉଳ ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁ ଗାଁ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ତେବେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଆହତ ଗୌରୀ ରାଉଳଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।