କେନ୍ଦୁଝର ବିଧାୟକ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ଆଉ ଜଣେ ଗିରଫ

କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ଆଉ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡାକୁ ଗିରଫ କରିଛି ପୋଲିସ । ଏହି ମାମଲାରେ ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଫଳରେ ବୋମାମାଡ଼ ଘଟଣାରେ ମୋଟ ଗିରଫ୍ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ବି ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଛାନଭିନ୍ ଜାରି ରହିଛି ।ତେବେ ରବିବାର ଦିନ ବିଧାୟକ ମୋହର ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିଲା । କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟ ଅରଡେଇ ବ୍ରିଜ ନିକଟରେ ହୋଇଥିଲା ଏହି ବୋମାମାଡ଼ । ମିଟିଂ ସାରି ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରେ ଦୁଇଟି ବୋମାମାଡ଼ ହୋଇଥିଲା । ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିଲେ । ଏଥିରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ବିଧାୟକ ସୁରକ୍ଷିତ ଥିଲେ । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା ।