ଗାଈ ପାଇଁ ଗାଡି ଆଗରେ ଗୁହାରୀ

ସୋନପୁର : ରାଜ୍ୟରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ଜିଲ୍ଲାପାଳଙ୍କ ଗାଡି ଆଗରେ ତଳେ ଲୋଟି ଗାଈ ପାଇଁ ଗୁହାରୀ କରୁଛନ୍ତି ତରାସ ବାଘ । ସେ ଦୀର୍ଘବର୍ଷ ହେବ ସୋନପୁରର ହସ୍ପିଟାଲ ବାରଣ୍ଡା ତାଙ୍କ ଠିକଣା ପାଲଟିଯାଇଛି । ତାଙ୍କର ବନ୍ଧୁ ପାଲଟି ଯାଇଥିଲେ ୪ଟି ଗାଈ । ତରାସ ମାଗି ଯାଚି ଯାହା ଆଣନ୍ତି ତାକୁ ନିଜେ ଖାଇବା ସହ ଗାଈମାନଙ୍କୁ ଦେଇଥାନ୍ତି । ହେଲେ ପ୍ରାୟ ତିନି ମାସ ତଳେ ଗାଈଗୁଡିକ ନିଖୋଜ ହୋଇଯାଇଥିଲେ । ଖୋଜାଖୋଜି ପରେ ସ୍ଥାନୀୟ କାଞ୍ଜିଆହୁଦାରେ ଗାଈକୁ ରଖାଯାଇଥିବା ଖବର ପାଇଥିଲେ ।

ତାପରେ ଗାଈଙ୍କୁ ଫେରାଇ ଦେବାକୁ ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ହୋଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ଶେଷରେ ସେ ଏମିିତି କରିବାକୁ ବାଧ୍ୟ ହୋଇଥିଲେ । ନିରାଶ୍ରୟ ବୃଦ୍ଧାଙ୍କ ଏଭଳି ଆଚରଣ ଦେଖି ଗାଡିରୁ ଓହ୍ଲାଇ ଆସି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଜିଲ୍ଲାପାଳ ସୁନୀଲ ନରୱେଣ । ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ବୃଦ୍ଧା ମହିଳା ଜଣଙ୍କ କାଞ୍ଜିଆହୁଦାରେ ଦୁଇଟି ଗାଈକୁ ଚିହ୍ନିବା ପରେ ଫେରାଇ ଦେଇଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ଆଉ ଦୁଇଟି ଗାଈକୁ ଚିହ୍ନଟ କରିପାରି ନାହାଁନ୍ତି ।