ଯୁବ ହକି ତାରକାଙ୍କ ଘରବାହୁଡା

ଭୁବନେଶ୍ୱର : ଜାତୀୟ ପୁରୁଷ ହକି ପ୍ରତିଯୋଗିତାର ବ୍ରୋଞ୍ଜ ପଦକ ବିଜୟୀ ଓଡିଶା ଦଳର ଘରବାହୁଡା ହୋଇଛି । ଦଳରେ ସାମିଲ ସମସ୍ତ ଖେଳାଳିଙ୍କ ସହ କୋଚ୍‌, ମ୍ୟାନେଜରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ପାନପୋଷ କ୍ରୀଡା ଛାତ୍ରାବାସଠାରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଯୋଗଦେଇ କହିଥିଲେ ଯେ ଜିଲ୍ଲାର ଖେଳାଳିମାନେ ସର୍ବଦା ଉତ୍କୃଷ୍ଟମାନର କ୍ରୀଡା ପ୍ରଦର୍ଶନ କରୁଛନ୍ତି । ଜାତୀୟ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଏଭଳି ନିଷ୍ଠାପର ପରିଶ୍ରମ ଜାରି ରଖି ଅଧିକରୁ ଅଧିକ ସଫଳତା ଅର୍ଜନ କରିବାକୁ ଆହ୍ୱାନ କରିଥିଲେ । ସେହିପରି ଅତିଥି ଏସପି ମୁକେଶ ଭାମୁ କହିଥିଲେ ଯେ, ବିଶ୍ୱ ହକି ମାନଚିତ୍ରରେ ସୁନ୍ଦରଗଡ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି । ଆଜିର ସମ୍ବର୍ଦ୍ଧିତ ଖେଳାଳିମାନେ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଗତ ୧୬ରୁ ୨୫ ଯାଏଁ ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସିରିଲ ଲୁଗୁନଙ୍କ ନେତୃତ୍ୱରେ ଆରମ୍ଭରୁ ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲା । ତେବେ ହରିଆନାକୁ ହରାଇ ଓଡ଼ିଶା ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା ।