କାଳିଆ ସ୍କଲାର୍‌ ସିପ୍‌ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାଳିଆ ସ୍କଲାର୍‌ ସିପ୍‌ ୨୦୨୩-୨୪ ପାଇଁ ଅନ୍‌ ଲାଇନ୍‌ ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି । କାଳିଆ ସ୍କଲାର୍‌ ସିପ୍‌ ପାଇବା ପାଇଁ କୋଉମାନେ ଯୋଗ୍ୟ ବିବେଚିତ ହୋଇପାରିବେ; ସେ ସଂପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି ।

ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଅବଧି ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ଆବେଦନକୁ ସେମାନଙ୍କ ଶିକ୍ଷାନୁଷ୍ଠାନ ଯାଂଚ କରିବା ପାଇଁ ଫେବୃଆରୀ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି ।

ସୂଚନା ମୁତାବକ, ଏମବିବିଏସ, ବିଡିଏସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୩୭୯୫୦ ଟଙ୍କା ସ୍କଲାର୍‌ ସିପ୍‌ ମିଳିବ । ବି ଫାର୍ମା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୩୫ ହଜାର ଟଙ୍କ. ବେସିକ୍‌ ବି ଏସ୍‌ସି ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କୁ ୧୯୪୫୦ ଟଙ୍କା, ପୋଷ୍ଟ ବେସିକ୍‌ ବିଏସ୍‌ସି ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କୁ ୧୪୬୫୦ ଟଙ୍କା, ଡିଏମଏଲଟି, ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ୧୮ ହଜାର ଟଙ୍କା, ଜିଏନଏମ୍‌ ଛାତ୍ରଛାତ୍ରୀଙ୍କୁ ୩୬ ହଜାର ଟଙ୍କା ସ୍କଲାର୍‌ ସିପ୍‌ ମିଳିବ ।

କୃଷକ ପରିବାରର ପିଲାମାନଙ୍କ ପାଇଁ ସ୍କଲାର୍‌ ସିପ୍‌ ବ୍ୟବସ୍ଥା କରାଯିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶାର କେତୋଟି କୃଷକ ପରିବାରର ଭାଗ୍ୟବାନ ପିଲା କାଳିଆ ସ୍କଲାର୍‌ ସିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି ।