ମହାପ୍ରଭୁ ନବୀନଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଲାଭ କରିଛନ୍ତି । ଏଭଳି ଗୌରବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ମହାପ୍ରଭୁ ଜଗନ୍ନାଥଙ୍କ କରୁଣାକୁ ଦାୟୀ କରିନାହାନ୍ତି । ବରଂ ଆପଣା କାର୍ଯ୍ୟକଳାପକୁ ଅଧିକ ଶ୍ରେୟ ଦେଇଛନ୍ତି । ଦୁର୍ବଳତାକୁ ସଫଳତାର ସହିତ ଘୋଡ଼ାଇ ପାରିଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରାଦେଶରେ ଚର୍ଚ୍ଚିତ । ନବୀନଙ୍କ ଶାସନର ଦୁର୍ବଳତାକୁ ଦେଖିବାର ଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନାହିଁ ।

ଶ୍ରୀମନ୍ଦିର ଚାରିଟି ଦ୍ୱାର ଖୋଲିବା ଓ ବନ୍ଦ କରିବା ପାଇଁ ଆଉ ମହାପ୍ରଭୁ ଜଗନ୍ନାଥଙ୍କ ଆଞ୍ଜା ଲୋଡ଼ାନାହିଁ । କରୋନା ମହାମାରୀ ଦାଉରୁ ରାଜ୍ୟବାସୀଙ୍କୁ ରକ୍ଷା ନ କରିପାରିବା ଅଭିଯୋଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦୋଷୀ ବିବେଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।

କରୋନା ସମୟରେ ଶ୍ରୀମନ୍ଦିରର ତିନୋଟି ଦ୍ୱାରକୁ ବନ୍ଦ କରାଯାଇଥିଲା । ଏବେ କରୋନାର ଭୟ ନାହିଁ, ତଥାପି ଶ୍ରୀମନ୍ଦିରର ତିନୋଟି ଦ୍ୱାରକୁ ବନ୍ଦ ରଖାଯାଇଛି । ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ପ୍ରଶାସନ ଚାରିଟି ଦ୍ୱାରକୁ ଖୋଲି ଦିଅନ୍ତୁ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।

ନରସିଂହ ମିଶ୍ର ଭଲ ଭାବରେ ଜାଣନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ବିନା ଶ୍ରୀମନ୍ଦିର ପ୍ରଶାସନ ସ୍ୱାଧିନ ଭାବେ କୌଣସି ନିଷ୍ପତି ନିଅନ୍ତି ନାହିଁ । ମାତ୍ର ସିଧାସଳଖ ନବୀନବାବୁଙ୍କୁ ପରାମର୍ଶ ଦେବା ବଦଳରେ ନରସିଂହ ଶ୍ରୀମନ୍ଦିର ପ୍ରଶାସନକୁ ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସ ନେତା ନରସିଂହ ମିଶ୍ର ଅତି ଚାଲାକ, ସେ ଅତୀତରେ ନବୀନଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସିରସ୍ତାରେ ରହିଥିଲେ । ମାପିଚୁପି କଥା କହିବାରେ ନରସିଂହ ବେଶ ଧୁରନ୍ଧର ।

ଇତିମଧ୍ୟରେ ନବୀନଙ୍କ ପ୍ରିୟ ମନ୍ତ୍ରୀ ପ୍ରମିଳା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଚାରିଟିଯାକ ଦ୍ୱାରକୁ ଏବେ ଖୋଲିବା ସମ୍ଭବ ନୁହେଁ । ସମୟ ଆସିଲେ ଶ୍ରୀମନ୍ଦିରର ସବୁ ଦ୍ୱାରକୁ ନିୟମିତ ଖୋଲାଯିବ ।

ଶ୍ରୀମନ୍ଦିରରେ ସେବାୟତଙ୍କ ମନମାନିକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉପକମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ବରିଷ୍ଠ ସେବାୟତଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ସଭ୍ୟ ରହିଛନ୍ତି ।