ଆସୁଛି ନିର୍ବାଚନ: ଘରକୁ ଘର ଯାଉଛନ୍ତି ବୁଥସ୍ତରୀୟ ଅଧିକାରୀ

ଅଗଷ୍ଟ ୨୧ ତାରିଖ ଯାଏ ନୂତନ ଭୋଟରଙ୍କୁ ସୁଯୋଗ

ଭୁବନେଶ୍ୱର: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ନିର୍ବାଚନ ଆୟୋଗ ପୁରୁଣାକାଳିଆ ନୀତିକୁ ଆଦରି ନେଇଛନ୍ତି । ଅନଲାଇନରେ ଭୋଟର ତାଲିକା ପ୍ରକାଶ ପାଇବା ପରଠାରୁ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁୁଲିବା ବନ୍ଦ କରି ଦେଇଥିଲେ । ମାତ୍ର ଅନଲାଇନରେ ଭୋଟର ପଞ୍ଜୀକରଣ କରାଯିବା କାରଣରୁ ଭୋଟର ତାଲିକାରେ ବହୁ ତ୍ରୁଟି ପରିଲକ୍ଷିତ ହେଲା । ତେଣୁ ଆୟୋଗ ପୁଣି ପୁରୁଣା ବ୍ୟବସ୍ଥା ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ଏଥର ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଯାଇ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କରିବା ସହିତ ଭୋଟର ତାଲିକାରୁ ବାଦ ପଡ଼ିଥିବା ପୁରୁଣା ଭୋଟରଙ୍କ ନାମ ଦରଜ କରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ମୁତାବକ ରାଜ୍ୟର ୩୦ ଜିଲ୍ଲାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀମାନେ ପ୍ରତି ଘରକୁ ଯାଇ ନିର୍ଭୁଲ ତଥ୍ୟ ସଂଗ୍ରହ କରୁଛନ୍ତି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

୦୧/୦୧/୨୦୨୪ ସୁଦ୍ଧା ଯୋଉମାନଙ୍କ ବୟସ ୧୮ ବର୍ଷ ପୂର୍ଣ୍ଣ ହେଉଥିବ, ସେମାନଙ୍କୁ ନୂତନ ଭୋଟର ଭାବେ ଗଣାଯିବ। ଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ଭୋଟର ଓ ମୃତଲୋକଙ୍କ ନାମକୁ ଭୋଟର ତାଲିକାରୁ ବାଦ ଦିଆଯିବ । ବୁଥସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟରେ ପୂର୍ଣ୍ଣ ସହାୟତା କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।