ସଂସଦରେ ମଣିପୁର ହିଂସା: ମୋଦୀଙ୍କ କପଡ଼ା ଖୋଲିବ ବିରୋଧୀ

ବିଗତ ଅଢେ଼ଇ ମାସ ଧରି ମଣିପୁରରେ ହିଂସା ରକ୍ତପାତ ଚାଲିଛି । ନିରୀହ ଜନତା ମରୁଛନ୍ତି, ଘର ଜଳୁଛି, ଦୋକାନ ବଜାର ଲୁଟପାଟ ଚାଲିଛି । ତା’ରି ଭିତରେ ଜୁଲାଇ ୧୯ ତାରିଖର ଏକ ଭିଡ଼ିଓ ଭାଇରାଲ ହୋଇଗଲା ଯାହାକୁ କେନ୍ଦ୍ର କରି ସାରାଦେଶ ଲାଜରେ ଝାଉଁଳିଗଲା । ସେହି ଘଟଣାକୁ ଅସ୍ତ୍ର କରି ବିରୋଧୀ ମେଂଟ ସଂସଦର ମୌସୁମି ଅଧିବେଶନକୁ ଚଲାଇ ଦେଉନି । ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଦୁଇଦିନ ହେଲାଣି ସଂସଦର ଉଭୟ ସଦନରେ ଗୃହକାର୍ଯ୍ୟ ଚାଲିପାରୁନି ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଜନାର୍ଦ୍ଦନ ବିରୋଧୀ ମେଂଟକୁ ଦାୟୀ କରି କହିଛନ୍ତି ଯେ ବିରୋଧୀ ସଭ୍ୟମାନେ ଜାଣିଶୁଣି ମଣିପୁର ପ୍ରସଙ୍ଗ ଆଲୋଚନାକୁ ଏଡ଼ାଇ ଯାଉଛନ୍ତି । ମଣିପୁର ଅରାଜକତାର ଟିକିନିଖି ଆଲୋଚନା ପାଇଁ ବିରୋଧୀ ମେଂଟ ରାଜି ହେବା ବଦଳରେ ପ୍ରତି ମୁହୂର୍ତରେ ମତ ବଦଳାଉଛି । ସଂସଦ ପରିଚାଳନା ପୁସ୍ତିକାରେ ଲିଖିତ ନାନା ନିୟମର ଦ୍ୱାହି ଦେଇ ଆଲୋଚନାକୁ ଆସୁନାହାନ୍ତି । ବିରୋଧୀ ମେଂଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ସିଧାସଳଖ ବିବୃତି ଦାବି କରୁଥିଲା ବେଳେ ଶାସକ ମେଂଟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମୁହଁରୁ ସବୁ ଶୁଣିବାକୁ ବାଧ୍ୟ କରୁଛି ।

ବିରୋଧୀ ମେଂଟ ତରଫରୁ ରାଜ୍ୟସଭା ଓ ଲୋକସଭାକୁ ସଦନ ପରିଚାଳନା ବ୍ୟବସ୍ଥାର ନିୟମ ୧୯୩ ମୁତାବକ ନୋଟିସ୍‌ ଦିଆଯାଇଛି । ଉକ୍ତ ନୋଟିସକୁ ମାନି ନେଇଛନ୍ତି ମୋଦି ସରକାର । ଲୋକସଭାରେ ସେଭଳି ତୁମ୍ବିତୋଫାନ ନ ଥିଲାବେଳେ ରାଜ୍ୟସଭା ଦୁଲୁକୁଛି । ନିୟମ ୧୭୬ ଓ ୨୬୭ ମଧ୍ୟରେ ଲଢେ଼ଇ ଚାଲିଛି । ନିୟମ ୨୬୭କୁ ଆଧାର କରି ବିରୋଧୀ ମେଂଟ ଲମ୍ବା ସମୟ ପାଇଁ ଆଲୋଚନା ଦାବି କରିଛି । ମାତ୍ର ଶାସକ ନିୟମ ୧୭୬କୁ ପ୍ରାଥମିକତା ଦେଇ ସ୍ୱଳ୍ପକାଳୀନ ଆଲୋଚନାକୁ ଗୁରୁତ୍ୱ ଦେଇଛି ।