ବନ୍ୟପଶୁଙ୍କ ହମଲାରୁ ବନରକ୍ଷୀଙ୍କୁ ବଂଚାଇବ କିଏ?

ଅବାଧ ପଶୁ ଶିକାର ରୋକିବାକୁ ନିୟୋଜିତ କରାଗଲା ବନରକ୍ଷୀଙ୍କୁ । ହାତରେ ଠେଙ୍ଗା ଧରି ବନରକ୍ଷୀ ଜଙ୍ଗଲରେ ବୁଲୁଥିବା ସମୟରେ ବନ୍ଧୁକଧାରୀ ଶିକାରୀଙ୍କ ହାବୁଡ଼ରେ ପଡ଼ିଲେ । ଶିକାରୀଙ୍କ ଗୁଳିରେ କିଛି ବନରକ୍ଷୀ ପ୍ରାଣ ହରାଇବା ପରେ ରାଜ୍ୟ ସରକାର ବନରକ୍ଷୀଙ୍କ ହାତରେ ବନ୍ଧୁକ ଧରାଇବା ସହ ଗୁଳି ଚଳାଇବାର ଅଧିକାର ପ୍ରଦାନ କରିଛନ୍ତି । କେତେକ ସ୍ଥାନରେ ବନରକ୍ଷୀଙ୍କ ସହିତ ପୁଲିସ କର୍ମଚାରୀମାନେ ମଧ୍ୟ ଜଙ୍ଗଲ ବୁଲିବେ ।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପରେ ଶିକାରୀମାନେ ସତର୍କ ହୋଇଯାଇଛନ୍ତି । ମାତ୍ର ବନ୍ୟପଶୁଗୁଡ଼ିକ ବନରକ୍ଷୀଙ୍କୁ ହମଲା କରୁଛନ୍ତି । କୋଉମାନେ ଶିକାରୀ ଓ କୋଉମାନେ ବନରକ୍ଷୀ, ତାହା ଜାଣିବା ପାଇଁ ବନ୍ୟପଶୁଙ୍କ ନିକଟରେ ସେଭଳି ଶକ୍ତିର ଘୋର ଅଭାବ । ବିଶେଷ କରି ମଣିଷଙ୍କୁ ଦେଖିଲେ ବନ୍ୟପଶୁଗୁଡ଼ାକ ଜୀବନ ବିକଳରେ ଆକ୍ରମଣ କରୁଛନ୍ତି ।

ବିଶେଷ କରି ହାତୀ, ଭାଲୁ, ହେଟା, ବିଷଧର ସର୍ପଗୁଡ଼ିକ ହାବୁଡ଼ରେ ବନରକ୍ଷୀମାନେ ପଡ଼ିବା ସ୍ୱାଭାବିକ । ଏବେ ପ୍ରଶ୍ନ ଉଠୁଛି, ବନ୍ୟପଶୁଙ୍କ ଦାଉରୁ ବନରକ୍ଷୀଙ୍କୁ ସୁରକ୍ଷିତ ରଖିବା ପାଇଁ ଉଭୟ ପୁଲିସ ଓ ବନ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ଅନୁମତି ଦିଆଯାଇଛି କି? ଜଙ୍ଗଲରେ ବନ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ଯଦି ବନ୍ୟପଶୁଙ୍କ ହାବୁଡ଼ରେ ପଡ଼ିଗଲେ, ତେବେ ଗୁଳି ଚଳାଇବେ କି ନାହିଁ । ସେ ବିଷୟ ରାଜ୍ୟ ସରକାରଙ୍କ ସ୍ପଷ୍ଟ କରଦେବା ଉଚିତ ।