‘ଭକ୍ଷକ’କୁ ବିଗାଡ଼ିଦେଲା ଦୁର୍ବଳ ସଂଳାପ

ମୁମ୍ବାଇ: ଚଳଚ୍ଚିତ୍ର ‘ଭକ୍ଷକ’ ସଂପର୍କରେ କ’ଣ କହିବୁ? ଚଳଚ୍ଚିତ୍ରର କାହାଣୀରେ ଜଣେ ମୁକ୍ତ ଟିଭି ରିପୋର୍ଟର ବୈଶାଳୀ ସିଂ (ଭୂମି ପେଦନେକର) ଓ ତାଙ୍କର ଏକମାତ୍ର ସହଯୋଗୀ ଭାସ୍କର (ସଂଜୟ ମିଶ୍ର) ଗୋଟିଏ ସତ୍ୟକୁ ପିଛା କରୁଛନ୍ତି ।

ଦୁହେଁ ବିହାରର ଗୋଟିଏ ମାନବ ଚାଲାଣ ର‍୍ୟାକେଟର ପର୍ଦ୍ଦାଫାସ କରିବାକୁ ଲାଗି ପଡ଼ିଛନ୍ତି । ମୁନବରପୁରସ୍ଥିତ ଶକ୍ତିଶାଳୀ ବଂଶୀ ସାହୁ (ଆଦିତ୍ୟ ଶ୍ରୀବାସ୍ତବ) କବଳରୁ ଅନାଥ ନାବାଳିକାଙ୍କୁ ଉଦ୍ଧାର କରିବାର ସଂକଳ୍ପ ନେଇ ଦୁହେଁ ପୁରା ତାକତ୍‌ ଲଗାଇଛନ୍ତି ।

ରାଜ୍ୟର ଆଇନ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଗ୍ରାସ କରିଛି । ପୁଲିସ ନିରବଦ୍ରଷ୍ଟା । କୋଉଠାରୁ ସହଯୋଗ ମିଳିବାର ଆଶା ନାହିଁ । ରାଜନୈତିକ ଡର, ଭୟ ଓ ସାମାଜିକ ଚାପକୁ ଭ୍ରୁକ୍ଷେପ ନକରି ଦୁଇଜଣ ସାମାନ୍ୟ ଲୋକ ସେମାନଙ୍କ ଲକ୍ଷ୍ୟକୁ ହାସଲ କରିପାରିବେ?

ଏହିପରି ଏକ କାହାଣୀକୁ ପରଦାରେ ରୂପ ଦେଇଛନ୍ତି ନିର୍ଦ୍ଦେଶକ ପୁଲକିତ । ଚଳଚ୍ଚିତ୍ରର ଦୁଇ ମୁଖ୍ୟ ଚରିତ୍ର ସେମାନଙ୍କ ଅଭିନୟକୁ ଠିକ ଭାବରେ ଫୁଟାଇ ପାରିଛନ୍ତି । ମାତ୍ର ୯୦ ଦଶକର ମେଲୋ ଡ୍ରାମାଟିକ ଅନେକଙ୍କୁ ଖଟ୍‌କା ଲାଗୁଛି ।

ଚଳଚ୍ଚିତ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖଳନାୟକ ବଂଶୀ ସାହୁର ନାମକୁ ପ୍ରାୟ ୧୦୦ ଥର ଶୁଣିବାକୁ ମିଳୁଛି । ମାତ୍ର ତା’ର ବଳିଷ୍ଠ ଭୂମିକା କହିଲେ କିଛି ନାହିଁ । ସବୁଠାରୁ ବଡ଼ ବ୍ୟତିକ୍ରମ ହେଉଛି, ଏତେ ବଡ଼ ଶକ୍ତିଶାଳୀ ଚରିତ୍ର ନିକଟରେ ମାମୁଲି ଲୋକଟିଏ ଆରାମରେ ପହଂଚି ଯାଉଛି ।

ଅଧିକାଂଶ ଚଳଚ୍ଚିତ୍ର ପ୍ରେମୀ କହନ୍ତି, ‘ଭକ୍ଷକ’ ଗୋଟିଏ ରହସ୍ୟ ସନ୍ଧାନୀ ଅପରାଧିକ ଥ୍ରିଲର । ମାତ୍ର ସେଥିରେ ରହସ୍ୟ ବୋଲି କିଛି ନାହିଁ । ଖାସ ସେହି କାରଣରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇପାରିନି ।