ଭୁବନେଶ୍ୱର: ରାଜ୍ୟର ୧୩ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ଏହି ବ୍ୟବସ୍ଥା ଚଳିତ ବର୍ଷ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଧାନ ପ୍ରତି କ୍ୱିଂଟାଲ ୮୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରୁଛନ୍ତି ବୋଲି ସରକାର ବାହାବା ନେଉଛନ୍ତି। ହେଲେ ବାସ୍ତବରେ ରାଜ୍ୟର ଧାନ କିଣା ବ୍ୟବସ୍ଥା ଚାଷୀକୁଳଙ୍କ ପ୍ରତି ଧୋକା ଓ ପ୍ରତାରଣାରେ ପରିଣତ ହୋଇଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ଦାସବର୍ମା କହିଛନ୍ତି, ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ। ଖୁବ୍ ଶୀଘ୍ର ଦଳ ରାସ୍ତାକୁ ଓହ୍ଲାଇବ। ଛତିଶଗଡ଼ ଓଡ଼ିଶାଠାରୁ କମ୍ ଧାନ ଉତ୍ପାଦନ କରିଥାଏ। ତେବେ ଓଡ଼ିଶା ପାଇଁ ୭୩ ଲକ୍ଷ ମେଟ୍ରିକ ଟନ ଧାନକିଣା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ୮୦ ଲକ୍ଷ ମେଟ୍ରିକ ଟନ ଲକ୍ଷ୍ୟ ରଖାଯାଇଛି। ଛତିଶଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଓଡ଼ିଶାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଧାନକିଣା ଦାୟିତ୍ୱରେ ଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ୧୮, ୮୮୬ କୋଟି ଟଙ୍କା ଋଣ ଭାର ରହିଛି। ଏହାଛଡ଼ା ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ନିକଟରୁ ୮୧୨୧ କୋଟି ଟଙ୍କା ଓଡ଼ିଶା ପାଇବାର ଅଛି। ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କ ପଞ୍ଜୀକରଣ ହୋଇପାରିଲା ନାହିଁ।
ଯେଉଁ ୮୦୦ ଟଙ୍କା ଇନପୁଟ୍ ସବସିଡି କଥା କହିଥିଲେ ତାହା ପ୍ରଦାନ ନ କରିବା ଉଦ୍ଦେଶ୍ୟରେ ଧାନକିଣାରେ ଟାଳଟୁଳ ନୀତି ରାଜ୍ୟ ସରକାର ଅବଲମ୍ବନ କରୁଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ମନ୍ତବ୍ୟରେ ତାଳମେଳ ନାହିଁ। ବର୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୮% ଚାଷୀ ଧାନ ବିକିବା ପାଇଁ ସକ୍ଷମ ହୋଇଥିଲା ବେଳେ ଛତିଶଗଡ଼ରେ ୪୦% ଚାଷୀ ଧାନ ବିକ୍ରି କରି ସାରିଲେଣି। ରାଜ୍ୟରେ ବର୍ତମାନ ୧୩ଟି ଜିଲ୍ଲାରେ ଧାନକିଣା ଚାଲିଥିବା ବେଳେ ଏହି ଜିଲ୍ଲାଗୁଡ଼ିକରେ ୪୦୮୩ ଧାନ କିଣା କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତି ହୋଇଥିଲା। ମାତ୍ର ଆଜି ସୁଦ୍ଧା ସଂପୃକ୍ତ ଜିଲ୍ଲାଗୁଡ଼ିକରେ ମାତ୍ର ୧୦୩୯ଟି ଧାନ କିଣା କେନ୍ଦ୍ର ଖୋଲା ଯାଇଛି। ଧାନ ମଣ୍ଡିରେ ଓ ରାସ୍ତାରେ ଧାନ ରଖି କୃଷକ ଧାନ ବିକିବାକୁ ଚାତକ ପରି ଚାହିଁ ବସିଛନ୍ତି।