ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଭିସୁଟ୍ ରେ ହେବ ସେଣ୍ଟର ଅଫ୍ ଏକ୍ସିଲେନ୍ସି

ସମ୍ବଲପୁରସ୍ଥିତ ଭିସୁଟ୍ ରେ ବିକାଶ ପାଇଁ ୧ ହଜାର କୋଟି ଟଙ୍କା ବ୍ୟ….

ସମ୍ବଲପୁର: ସମ୍ବଲପୁରସ୍ଥିତ ଭିସୁଟ୍ ରେ ବିକାଶ ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଏହାର କ୍ୟାମ୍ପସ ସମ୍ପ୍ରସାରଣ ପାଇଁ ଜମି ଯୋଗାଇ ଦେବେ ରାଜ୍ୟ ସରକାର। ଗୁରୁବାର ସମ୍ବଲପୁର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ। ଗୁରୁବାର ସକାଳେ ଉଭୟ ସମ୍ବଲପୁରରେ ପହଁଚିବା ପରେ ଭିସୁଟ୍ ଗସ୍ତ କରିଥିଲେ। ଏହି ପ୍ରତିଷ୍ଠାନକୁ ଖୁବ୍ ଶୀଘ୍ର ସେଣ୍ଟର ଅଫ୍ ଏକ୍ସିଲେନ୍ସିରେ ପରିଣତ କରାଯିବ ବୋଲି ମୁଖ୍ୟ ସଚିବ ଘୋଷଣା କରିଛନ୍ତି । ଶ୍ରୀ ମହାପାତ୍ର କହିଥିଲେ ବର୍ତ୍ତମାନ ପରିସ୍ଥିତିରେ ଭିସୁଟ୍ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ଏହାର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ।

ସମ୍ପ୍ରତି ୫ ହଜାର ଛାତ୍ରଛାତ୍ରୀ ଭିସୁଟ୍ ରେ ଅବସ୍ଥାନ କରୁଥିବାବେଳେ କିଭଳି ୧୦ ହଜାର ଛାତ୍ରଛାତ୍ରୀ ରହିପାରିବେ ସେନେଇ ଆଲୋଚନା କରାଯାଇଥିଲା। ଏଥିସହିତ ୮୦ ଏକର ଜମି ମଧ୍ୟ ଭିସୁଟ୍ କୁ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଅନ୍ୟପକ୍ଷରେ ଭିସୁଟ୍ ପରିଦର୍ଶନ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠର ସ୍ଥିତି ସମୀକ୍ଷା କରିଥିଲେ ଶ୍ରୀ ମହାପାତ୍ର ଓ ଶ୍ରୀ ପାଣ୍ଡିଆନ। ମା’ଙ୍କ ପୀଠର ବିକାଶ କାମ କେତେଦୂର ଆଗେଇଛି ସେନେଇ ମଧ୍ୟ ଅନୁଧ୍ୟାନ କରିଥିଲେ। ପରେ ଉଭୟ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ଆସନ୍ତା ବର୍ଷ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

 

ରିଂରୋଡ୍ ଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢ଼ା ନିର୍ମାଣ, ପାର୍କିଂ ସ୍ଥଳ, ସୁଇମିଂ ପୁଲ୍ ଏବଂ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତର କରାଯାଇ ଦୁର୍ଗାପାଲିର ଏକ କଲୋନୀରେ ସେମାନଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାପରେ ଉଭୟ ଲୁଇସ୍ ଉଚ୍ଚ ବାଳିକା ବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ। ସ୍କୁଲ୍ ରେ ରେଜଲ୍ଟ ଭଲ ହେବା ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ, ଆଲୋଚନା କରିଥିଲେ। ଏହାପରେ ସମନ୍ୱିତ କମ୍ପେ୍ଲକ୍ସର ଭିତ୍ତିଭୂମି କାର୍ଯ୍ୟକୁ ପରଖି ଦେଖିଥିଲେ।