ଜାଣନ୍ତୁ ଲକ୍‌ଡାଉନ୍‌ ଘୋଷଣା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ..

ଭୁବନେଶ୍ୱର,(ଏସ୍ ନ୍ୟୁଜ) : ରାଜ୍ୟ ସରକାର କୋଭିଡର ଭୟଙ୍କର ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ।
ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ ଡାଉନ୍ ଜାରି କରାଯିବ। ଏହି ସମୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ବଳବତ୍ତର ରହିବ।୧୪ଦିନ ପାଇଁ ସବୁ ଜିଲ୍ଲାରେ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ।
ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ବସ୍ ଚଳାଚଳ ବନ୍ଦ ରହିବ। ଫଳ, ପନିପରିବା, ମାଛମାଂସ ଦୋକାନ ଲକ୍‌ଡାଉନ୍‌ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ।
ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।
ନିର୍ବାଚନୀ କାର୍ଯ୍ୟ ଓ ପରିବହନ ସେବା ଉପରେ କୌଣସି କଟକଣା ନ ରହିବା ସହ କଟକଣା ମୁକ୍ତ ହେବ। ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ। ଏନେଇ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଲକ୍‌ ଡାଉନ୍‌ କଟକଣା ସମୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ସେ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୁତ ସୂଚନା ଦିଆଯାଇଛି। ସେ ସଂପର୍କରେ ସମ୍ପୂର୍ଣ ଜାଣି ନିଅନ୍ତୁ।
କ’ଣ କ’ଣ ବନ୍ଦ ରହିବ:-
*ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର
*ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି।
*ସେଲୁନ, ପାର୍ଲର ଓ ସ୍ପା
*ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ
*ଯାତ୍ରା, ଅପେରା ଓ ଖୋଲାମଞ୍ଚ
*ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ
*ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍
*ସାପ୍ତାହିକ ଏବଂ ଦୈନିକ ହାଟ ଚାଲି ପାରିବ ନାହିଁ
*ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ
*ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ

କ’ଣ କ’ଣ ଖୋଲା ରହିବ:-
*କୃଷି କାର୍ଯ୍ୟ ଚାଲି ପାରିବ।
*ପରିବା, ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ। ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ। ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଯାଏ ଏସବୁ ଖୋଲା ରହିବ। ଲୋକେ ସକାଳ ୬ଟାରୁ ୧୨ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଏସବୁ ଜିନିଷ କିଣି ପାରିବେ।
*ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍‌ ମିଡିଆର କର୍ମଚାରୀମାନେ ଅଫିସ୍ ଯା’ଆସ କରିପାରିବେ।
*ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଯା’ଆସ କରିବାକୁ ଅନୁମତି ଦିଆଯାଇଛି।
*ପେଟ୍ରୋଲ ପମ୍ପ ଖୋଲା ରହିବ। ରନ୍ଧନ ଗ୍ୟାସ୍ ଯୋଗାଣକୁ ବି ଅନୁମତି ମିଳିଛି। ସେହିପରି ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।
*ଇଲେକ୍ଟ୍ରିସିଆନ୍‌, ପାଣିପାଇପ ମିସ୍ତ୍ରୀ, କାଠ କାରିଗର, ଆଇଟି ମେକାନିକ ଓ ଗାଡ଼ି ମେକାନିକ୍ କାମକୁ ଯାଇପାରିବେ।
*ଲୁହା ଛଡ଼, ସିମେଣ୍ଟ, ବହି ଦୋକାନ ଖୋଲା ରହିବ।

**ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।

**ବାହାରୁ ଆସୁଥିବା ଲୋକଙ୍କୁ ଜଗିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖିବାକୁ କହିଛନ୍ତି। ଯାହାର ଘରେ ବ୍ୟବସ୍ଥା ନଥିବ, ତାଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖିବାକୁ ସେ କହିଛନ୍ତି।

ରାଜ୍ୟସରକାରଙ୍କ ଏହି ସବୁ ନିଷ୍ପତିର ଅନୁପାଳନ କରି ନିଜେ ସୁରକ୍ଷିତ ରହିବ ସହ ନିଜ ପରିବାର ଓ ରାଜ୍ୟରେ ସଂକ୍ରମଣ ରୋକିବାରେ ସହାୟକ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ପୂର୍ଣ୍ଣଭାବେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ନିବେଦନ କରିଥିଲେ ।