ଜ୍ଞାନର ଚନ୍ଦ୍ରମାକୁ ଗ୍ରାସ କରୁଛି ବ୍ରାହ୍ମଣ ବେଶୀ ରାହୁ

ବନ୍ଦ ହେଉ ହେତୁବାଦୀ-ରକ୍ଷଣଶୀଳ ରକ୍ତପାତ

ଭୁବନେଶ୍ୱର: ପରିବର୍ତନଶୀଳ ଦୁନିଆରେ ସବୁକିଛି ବଦଳିଯାଇଛି । ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣକୁ ଆଧାର କରି ପୌରାଣିକ ମତବାଦ ଯାହା ହେଉନା କାହିଁକି; ତାକୁ କେନ୍ଦ୍ର କରି ମଣିଷ-ମଣିଷ ଭିତରେ ଫାଟ ସୃଷ୍ଟି ନହେଉ । ରକ୍ତପାତ ନଘଟୁ, ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ଏହି ବିବାଦର ସରଳ ସମାଧାନ କରାଯିବା ଜରୁରୀ । ପୁରାଣ କଥାକୁ କେନ୍ଦ୍ର କରି ଆମେ ବିବାଦ ଭିତରକୁ ପଶିବା କୋଉ ବୁଦ୍ଧିମାନର କାମ । ମଣିଷ ବୁଦ୍ଧି ବିବେକ ଓ ଜ୍ଞାନ ବଳରେ ସାରା ବିଶ୍ୱବ୍ରହ୍ମାଣ୍ଡକୁ କବଳିତ କରିରଖିଛି । ଯୁକ୍ତିତର୍କ, ଆଲୋଚନା, ସମାଲୋଚନା, ବିଜ୍ଞାନସମ୍ମତ ପ୍ରମାଣକୁ ପ୍ରାଥମିକତା ଦେଇଛି ।
ସବୁ ଯୁଗରେ ସବୁ ସମୟରେ ବିଭିନ୍ନ ମତବାଦକୁ କେନ୍ଦ୍ର କରି ସପକ୍ଷବାଦୀ ଓ ବିପକ୍ଷବାଦୀ ରହିଛନ୍ତି । ବିଜ୍ଞାନ କହୁଛି, ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀର ଅବସ୍ଥାନ ଆଧାରରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ସ୍ଥିତି ଉପୁଜିଥାଏ । ମହାକାଶର ବିଶିଷ୍ଟ ଘଟଣାବଳୀକୁ ଆଧାର କରି ପୃଥିବୀର ଲୋକମାନେ କାମଧନ୍ଦା ଛାଡ଼ି, ରୋଷେଇବାସ ବନ୍ଦ କରି, ଭୋକ ଉପାସରେ ରହି, ରାହୁ ଓ କେତୁ ଭଳି ଫାଲତୁ ଚରିତ୍ରକୁ ଏତେ ଗୁରୁତ୍ୱ ଦେବା ଦରକାର ନାହିଁ । ହେତୁବାଦୀଙ୍କ ଏ ପ୍ରକାର ଯୁକ୍ତିର ପ୍ରତିବାଦ କରିବାର ଅର୍ଥ କ’ଣ? କିଛି ହିନ୍ଦୁ ସଂଗଠନ ହେତୁବାଦୀଙ୍କୁ ନାସ୍ତିକ କହି ସେମାନଙ୍କ ମୌଳିକ ଅଧିକାରରେ ହସ୍ତକ୍ଷେପ କରିବା ଅନୁଚିତ ।

ସମସ୍ତଙ୍କର ସ୍ୱାଧୀନ ମତ ପ୍ରକାଶ କରିବାର ଅଧିକାର ରହିଛି । ସମ୍ବିଧାନ କହୁଛି, କେହି କାହାର ମୌଳିକ ଅଧିକାରରେ ହସ୍ତକ୍ଷେପ କରିପାରିବେନି । ହେତୁବାଦୀଙ୍କର ମୌଳିକ ଅଧିକାରରେ ରକ୍ଷଣଶାୀଳ ସମାଜ ହସ୍ତକ୍ଷେପ କରିବା ଶୋଭନୀୟ ନୁହେଁ । କାହିଁ ରକ୍ଷଣଶୀଳ ସମାଜର କୌଣସି କାମରେ ହେତୁବାଦୀ ସମାଜ ହସ୍ତକ୍ଷେପ କରିନାହିଁ ତ? ‘ମାନିଲେ ଠାକୁର ନମାନିଲେ ପଥର’ ଏହାକୁ ଆମେ ସମସ୍ତେ ମାନିବା ଦରକାର ନୁହେଁ କି? ହେତୁବାଦୀଙ୍କ ଉପରେ ରକ୍ଷଣଶୀଳ ସମାଜ ପକ୍ଷରୁ ମାନସିକ ଓ ଶାରୀରିକ ଚାପ ପକାଯିବା ସଂପୂର୍ଣ୍ଣ ବେଆଇନ ।
ହେତୁବାଦୀଙ୍କ କଥାକୁ କାଟିବା ପାଇଁ ରକ୍ଷଣଶୀଳ ସମାଜ ପାଖରେ କୌଣସି ବଳିଷ୍ଠ ପ୍ରମାଣ ନଥିବାରୁ ସେମାନେ କଥା କଥାକେ ହାତ ଉଠାଇ ବଡ଼ଭାଇ ପଣିଆ ଦେଖାଉଛନ୍ତି ଯାହା ସଂପୂର୍ଣ୍ଣ ବେଆଇନ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସେମାନଙ୍କ ତାମସାକୁ ଦେଖି ଚୁପ ରହୁଛନ୍ତି । ଏହା ନିଶ୍ଚିତ ରୂପେ ଲଜ୍ଜାକର ଅଧ୍ୟାୟ ।

ରକ୍ଷଣଶୀଳ ସମାଜ ଦୃଷ୍ଟିରେ ଯଦି ଜଗତର ସବୁ ମନ୍ଦିରରେ ପୂଜିତ ଦେବତା ଦେବୀମାନେ ମହାଶକ୍ତିର ଅଧିକାରୀ । ଆଖି ପିଛୁଳାକେ ଯଦି ସବୁକିଛି ବଦଳାଇବାର ଶକ୍ତି ଠାକୁର ଠାକୁରାଣୀଙ୍କ ପାଖରେ ଅଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରୁ ରକେଟ୍‌, ମିସାଇଲ, ଲଢୁଆ ବିମାନ, ଗୁଳିଗୋଳା କିଣିବାର ପ୍ରାସଙ୍ଗିକତା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ରୁଦ୍ର ଗୁମ୍ଫାରେ ବସି ଧ୍ୟାନମଗ୍ନ ରହିଗଲେ, ପଡେ଼ାଶୀ ପାକିସ୍ତାନ ଓ ଚୀନ ଡରିମରି ଯେ ଯୁଆଡେ଼ ଚାଲିଯିବେ । କରୋନା ମହାମାରୀ ଭାରତରେ ପ୍ରବେଶ କରି ନଥାନ୍ତା । ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗକୁ କେନ୍ଦ୍ର କରି ହେତୁବାଦୀ ଓ ରକ୍ଷଣଶୀଳ ସମାଜ ପିଟାପିଟି ଲହୁଲୁହାଣ ହେବା ମାନବିକତାର ହତ୍ୟାକୁ ବୁଝାଉଛି । ଏ ବିବାଦ ବନ୍ଦ ହେଉ ।