ବୈଠକ ଛାଡ଼ି ପଳାଇଲେ କଟକ ମେୟର ଓ କମିଶନର

କଟକ: କଟକ ବାଲିଯାତ୍ରା ଦୁର୍ନୀତିର ମୁଖ୍ୟ କାର୍ପଟଦାର ନିଖିଲ ପବନ କଲ୍ୟାଣ ଓ ମେୟର ସୁବାଷ ସିଂ ବୈଠକ ଅଧାରୁ ପଳାୟନ କରିଛନ୍ତି । କର୍ପୋରେଟରମାନେ ମେୟର ସୁବାଷ ଓ କମିଶନର ନିଖିଲଙ୍କଠାରୁ ବାଲିଯାତ୍ରା ଦୁର୍ନୀତିର ହିସାବ ଦାବି କରିଥିଲେ । କର୍ପୋରେଟରଙ୍କ ସହମତିରେ ବାଲିଯାତ୍ରା ଆୟୋଜନ କରାଯାଇ ନଥିଲା ବୋଲି ଅଭିଯୋଗ ଶୁଣିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚଳନ୍ତି ପ୍ରତିମାଙ୍କ ସୁପାରିଶ ମୁତାବକ ବାଲିଯାତ୍ରା କାମ ଚାଲିଥିବାରୁ ସୁବାଷ ଓ ନିଖିଲଙ୍କୁ ହଲାପଟା ହେବାକୁ ପଡ଼ିଛି ।

ବୁଧବାର ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ କରିବାର ଥିଲା ମାତ୍ର କର୍ପୋରେଟରମାନଙ୍କ ଅସହଯୋଗ କାରଣରୁ ତାହା ସମ୍ପନ୍ନ ହୋଇପାରିଲାନି ।

କିଛି କର୍ପୋରେଟର କହୁଥିବାର ଶୁଣିବାକୁ ମିଳିଥିଲା, ‘ବାଲିଯାତ୍ରା ବୈଠକରେ ଆମ ପରାମର୍ଶକୁ ଗ୍ରହଣ କଲନି । ଆଜିର ବୈଠକରେ ଆମ ପରାମର୍ଶ ବା ମତାମତର ଆବଶ୍ୟକତା କ’ଣ ପାଇଁ? ପୂର୍ବରୁ ଯେମିତି ଆମକୁ ପଛକୁ ପକାଇ ଆପଣା ମନମାନି କରିଚାଲିଛ, ଆଗକୁ ସେମିତି କରିଚାଲ ।’

ମେୟର କହିଛନ୍ତି, ତିନି ଚାରିଜଣ କର୍ପୋରେଟର ବୈଠକରେ ନାନା ବିଶୃଙ୍ଖଳା କରୁଛନ୍ତି । ଅଯଥା ପ୍ରସଙ୍ଗ ଉଠାଇ ବୈଠକରେ ବାଧା ସୃଷ୍ଟି କରୁଛନ୍ତି । ଆଲୋଚନା ପାଇଁ ଯେତେ ଅନୁରୋଧ କଲି; ଜମାରୁ ଶୁଣୁନାହାନ୍ତି । ପାଗଳଙ୍କ ପରି ପ୍ରଳାପ କରୁଛନ୍ତି ।