କଟକ: ନିୟମ କରିଦେଇ ଲୋକଙ୍କ ଉପରେ ଲଦି ଦିଆଯାଉଛି। ବିନା ସଚେତନତାରେ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଲଗାଇ ଲୋକଙ୍କ ନିକଟରୁ ଜରିମାନା ଆଦାୟ କରାଯାଉଛି। ସ୍ପିଡ୍ ଡ୍ରାଇଭିଂ ନାଁରେ ପରିବହନ ବିଭାଗ ଏଭଳି ଲୋକଙ୍କ ଉପରେ ଜୁଲମ୍ କରୁଛି। ଅନେକ ରାସ୍ତାରେ ଲୋକେ କେଉଁ ରୁଟ୍ରେ କେତେ ସ୍ପିଡ୍ରେ ଯିବେ ଜାଣି ନପାରି ବେଗ ସାମାନ୍ୟ ବଢ଼ାଇ ଦେଉଥିଲା ବେଳେ ପରେ ଗାଡି ମାଲିକଙ୍କ ନାଁରେ ଚାଲାଣ କଟାଯାଉଛି।
ମୋବାଇଲକୁ ମେସେଜ୍ ଆସିଯାଉଛି। ପରିବହନ ବିଭାଗ ଏବେ ଏଭଳି ଲୋକଙ୍କୁ ଉଭୟ ମାନସିକ ନିର୍ଯାତନା ସହ ଆର୍ଥିକ ଦଣ୍ଡ ଦେଉଛି। କେଉଁ ରାସ୍ତାରେ କେତେ ବେଗରେ (ସ୍ପିଡ୍ରେ) ଗାଡି ଯିବ ତାହା ପରିବହନ ବିଭାଗ ପକ୍ଷରୁ ସ୍ଥିର କରାଯାଇଥାଏ। ବିଶେଷ କରି ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଏହି ବେଗ ନିର୍ଦ୍ଧାରଣର ବ୍ୟବସ୍ଥା ରହିଛି। ଏପରିକି କେଉଁଠି ଯଦି ରାସ୍ତାକୁ ଲାଗି ଗାଁ ବା ଘର, ବିଦ୍ୟାଳୟ, ବଜାର ରହିଛି ସେଠାରେ ଗାଡିର ବେଗ କେତେ ରହିବ ଏବଂ କେଉଁଠି ଯଦି ଛକ ସ୍ଥାନ ବା ଗହଳିପୂର୍ଣ୍ଣ ସ୍ଥାନ ରହିଛି। ସେଠାରେ ଗାଡିର ବେଗ କେତେ ରହିବ; ଏସବୁ ସ୍ଥାନର ଗୁରୁତ୍ୱ ବା ଜନସମାଗମକୁ ଦୃଷ୍ଟିରେ ରଖି ସ୍ଥିର କରାଯାଇଥାଏ। ଏଥିପାଇଁ ଉକ୍ତ ସ୍ଥାନ ଆସିବା ପୂର୍ବରୁ ବା କିଛି ଦୂରରୁ ଏକ ସୂଚନା ଫଳକ ଲଗାଯାଇ ଗାଡିର ବେଗ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥାଏ। ଏହି ସୂଚନା ଫଳକକୁ ଦେଖି ଜଣେ ଗାଡି ଚାଳକ ସଚେତନ ହୋଇ ଗାଡି ଚଳାଇବେ। ଫଳରେ କେବଳ ଦୁର୍ଘଟଣାକୁ ରୋକାଯାଇ ପାରିବ ନାହିଁ ଜଣେ ଗାଡି ଚାଳକ ମଧ୍ୟ ଅଯଥା ଜରିମାନାରୁ ବର୍ତି ପାରିବେ। ଏବେ ରାଜ୍ୟର ଅନେକ ରାସ୍ତାରେ କ୍ୟାମେରା ଲଗାଯାଇଛି। ଏଥିରେ ଗାଡିର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଉଛି। ଏହି କ୍ୟାମେରା ଜରିଆରେ ଗାଡିର ଫଟୋ ଉଠାଯାଇ ମୋଟର ଭେଇକିଲ୍ ଆଇନର ଉଲ୍ଲଂଘନ ଆଧାରରେ ଚାଲାଣ କଟାଯାଉଛି। ତେବେ ଏ ସଂକ୍ରାନ୍ତରେ ପରିବହନ ବିଭାଗ ସୂଚନା ଫଳକ ଲଗାଇଲେ ହିଁ ଜଣେ ଗାଡି ଚାଳକ ଜାଣିପାରିବେ। କିନ୍ତୁ ପରିବହନ ବିଭାଗ ଅଧିକାଂଶ ରାସ୍ତାରେ ଏଭଳି କୌଣସି ସୂଚନା ଫଳକ ନ ଲଗାଇ ଜରିମାନା ଲଦି ଦେଉଛି।
କଟକ-ପାରାଦୀପ ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। କନ୍ଦରପୁରଠୁ ପାରାଦୀପ ଆଡକୁ ଯିବାବେଳେ ଅଳ୍ପ କିଛି ବାଟ ପରେ ରାମକୁମରପୁର ଛକ ଆସେ। ଏହି ଛକ ନିକଟରେ ରାସ୍ତା ଉପରେ କ୍ୟାମେରା ଲଗାଯାଇଛି। କିନ୍ତୁ ଏହି ଛକ ପୂର୍ବରୁ କୌଣସି ସ୍ଥାନରେ ଗାଡିର ବେଗ ସଂକ୍ରାନ୍ତରେ ସୂଚନାଫଳକ ଲଗାଯାଇନି। ଚାଲାଣରେ ଏହି ସ୍ଥାନରେ ୫୦ କି.ମି. ବେଗ ଧାର୍ଯ୍ୟ କରାଯାଇଛି। ଜଣେ ଗାଡି ଚାଳକ ଏହାଠୁ ଅଧିକ ବେଗରେ ଆସନ୍ତି ତା’ ହେଲେ ତାଙ୍କ ନାମରେ ଚାଲାଣ ଆସିଯାଉଛି। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସ୍ଟିଏ (ରାଜ୍ୟ ପରିବହନ ପ୍ରାଧିକରଣ)ର ଯୁଗ୍ମ କମିଶନର ସମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, କେଉଁ ରାସ୍ତାରେ କେତେ ବେଗରେ ଗାଡି ଚଲାଇବା ଦରକାର ସେ ନେଇ ସୂଚନା ଫଳକ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଯଦି ବି କେଉଁଠି ଲାଗି ନଥାଏ ଆଗକୁ ଏ ଦିଗରେ ପଦକ୍ଷେପ ନିଆଯିବ। କିନ୍ତୁ ଲୋକେ ଗାଡି ବେଗକୁ ନିୟନ୍ତ୍ରଣରେ ରଖି ଚଲାଇବାକୁ ସେ ଅନୁରୋଧ କରିଛନ୍ତି।