ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ବରିଷ୍ଠ ରାଜନେତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛିମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ୟୁରିନ ଇମ୍ଫେକ୍ସନ କାରଣରୁ ୨୬ ସେପ୍ଟେମ୍ବରରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨ ଅକ୍ଟୋବରେ ଅକ୍ସିଜେନ ଲେବୁଲ କମ୍ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୟୁରିନ ଇମ୍ଫେକ୍ସନ ସହ ତାଙ୍କ ରକ୍ତ ଚାପ ମଧ୍ୟ ବୃଦ୍ଧି ପାଇଥିଲା ।

ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବା କାଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ସକାଳୁ ତାଙ୍କର ନିଧନ ଘଟିଛି । ତାଙ୍କର ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଲାୟମଙ୍କ ଜୀବନୀ କଥା ଦେଖିବାକୁ ଗଲେ, ୨୨ ନଭେମ୍ବର ୧୯୩୯ରେ ଉତ୍ତରପ୍ରଦେଶର ସୈଫଇରେ ଜନ୍ମଗ୍ରହଣ କରିଥିଲେ ମୁଲାୟମ । ପାଞ୍ଚ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ମୁଲାୟମ ଦ୍ୱିତୀୟ ନମ୍ବର ସ୍ଥାନରେ ଥିଲେ ।ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ, ୫୫ ବର୍ଷର ରାଜନୀତିରେ ସେ ଅନେକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି । ମୁଲାୟମ ସିଂ ୧୯୬୭ରେ ୨୮ ବର୍ଷ ବୟସରେ ଜସୱନ୍ତନଗରରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ ତାଙ୍କ ପରିବାରର କୌଣସି ରାଜନୈତିକ ବ୍ୟାକଗ୍ରାଉଣ୍ଡ ନଥିଲା । ତୃଣମୂଳ ସ୍ତରରୁ ସେ ରାଜନୀତି ଆରମ୍ଭ କରିଥିଲେ । ୫ ଡିସେମ୍ବର ୧୯୮୯ରେ ମୁଲାୟମ ପ୍ରଥମ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ପରେ ଆଉ ଦୁଇଥର ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । କେନ୍ଦ୍ରରେ ଦେବଗୌଡା ଏବଂ ଗୁଜରାଲ ସରକାରରେ ରକ୍ଷାମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ନେତାଜୀ ନାଁରେ ପରିଚିତ ମୁଲାୟମ ୭ ଥ ଲୋକସଭା ସାଂସଦ ଏବଂ ୯ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୪ ଅକ୍ଟୋବର ୧୯୯୨ ମସିହାରେ ସମାଜବାଦୀ ପାର୍ଟିର ସ୍ଥାପନା କରିଥିଲେ ।